ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଆହୁରି ଭୟଙ୍କର ରୂପ ନେଉଛି। ଧୁଧୁ ଖରା ସହ ପ୍ରବଳ ଗୁଳୁଗୁଳିରେ ଜନଜୀବନ କଲବଲ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ସେଲସିଅସ୍ ବୃଦ୍ଧି ପାଇପାରେ। କିଛି ଅଞ୍ଚଳରେ ପାରଦ ୪୫ ଡିଗ୍ରୀ ସେଲସିଅସ୍ ମଧ୍ୟ ଅତିକ୍ରମ କରିପାରେ ବୋଲି ପୂର୍ବାନୁମାନ ହୋଇଛି।
ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ ୪୪.୮ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ ହୋଇଛି। ହୀରାକୁଦରେ ୪୪ ଡିଗ୍ରୀ, ସମ୍ବଲପୁର ଓ ଅନୁଗୁଳରେ ୪୩.୬ ଡିଗ୍ରୀ, ବୌଦ୍ଧ ଓ ତାଳଚେରରେ ୪୩ ଡିଗ୍ରୀ, ସୋନପୁରରେ ୪୨.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୨.୩ ଡିଗ୍ରୀ ଏବଂ ବଲାଙ୍ଗୀରରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ରାଜ୍ୟର ୨୧ଟି ସହରରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରହିଥିବା ଜଣାପଡ଼ିଛି।
କାଳବୈଶାଖୀ ପ୍ରଭାବ କମିଯିବାରୁ ଗରମର ତୀବ୍ରତା ଆହୁରି ବଢ଼ିଛି। ତାପମାତ୍ରା ସହ ଆର୍ଦ୍ରତା ବୃଦ୍ଧି ପାଇଥିବାରୁ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ସ୍ଥିତି ଦେଖାଯାଉଛି।
ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୪ ଘଣ୍ଟା ପାଇଁ ଗଜପତି, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଉଷ୍ଣ ଓ ଆର୍ଦ୍ର ପରିସ୍ଥିତି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପାଣିପାଗ ବିଶେଷଜ୍ଞଙ୍କ ମତାନୁସାରେ, ଆଗାମୀ କିଛି ଦିନ ଲୋକେ ଅତ୍ୟଧିକ ସାବଧାନ ରହିବା ଆବଶ୍ୟକ। ଦିନ ୧୧ଟାରୁ ୪ଟା ପର୍ଯ୍ୟନ୍ତ ଅପରାହ୍ନ ସମୟରେ ବାହାରକୁ ଯାତ୍ରା ଏଡ଼ାଇବା, ପାଣି ପିବା ବଢ଼ାଇବା ଏବଂ ହିଟ୍ୱେଭ୍ ରୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ରାଜ୍ୟରେ ତାତିର ଏହି ପରିସ୍ଥିତି ଆଗାମୀ ଦିନରେ ଆହୁରି ଗୁରୁତର ହେବାର ଆଶଙ୍କା ରହିଛି।
