ସକାଳ ୯:୩୦ରେ ପହଣ୍ଡି, ୪ଟାରେ ରଥଟଣା

Table of Content

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାକୁ ନେଇ ବହୁ ପ୍ରତୀକ୍ଷିତ ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଛତିଶା ନିଯୋଗ, ନୀତି ସବ୍-କମିଟି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ପରେ ଏହି ସମୟସୂଚୀକୁ ଅନ୍ତିମ ରୂପ ଦିଆଯାଇଛି। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ସମସ୍ତ ନୀତିକାନ୍ତି ସୁଚାରୁ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଏହି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।

ନୀତି ଅନୁଯାୟୀ, ସକାଳ ୬ଟା ସୁଦ୍ଧା ମଙ୍ଗଳ ଆଳତି ସମ୍ପନ୍ନ ହେବ। ପରେ ମଇଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା ଏବଂ ଦ୍ୱାରପାଳ ପୂଜା ଭଳି ପାରମ୍ପରିକ ନୀତିଗୁଡ଼ିକ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ। ସକାଳ ୮ଟାରୁ ୯ଟା ମଧ୍ୟରେ ସକାଳ ଧୂପ ନୀତି ସମ୍ପନ୍ନ ହେବା ପରେ ୯ଟାରେ ରଥ ପ୍ରତିଷ୍ଠା ଓ ୯ଟା ୧୫ରେ ମଙ୍ଗଳାର୍ପଣ ନୀତି କରାଯିବ।

ଏହାପରେ ସକାଳ ୯ଟା ୩୦ ମିନିଟରେ ବହୁ ପ୍ରତୀକ୍ଷିତ ପହଣ୍ଡି ବିଜେ ଆରମ୍ଭ ହେବ। ପହଣ୍ଡି ପ୍ରାୟ ଦିନ ୧୨ଟା ୩୦ ସୁଦ୍ଧା ଶେଷ ହେବାକୁ ଥିବାବେଳେ, ପରେ ମଦନମୋହନ, ରାମ ଓ କୃଷ୍ଣଙ୍କ ବିଜେ ନୀତି ଅନୁଷ୍ଠିତ ହେବ।

ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜଙ୍କ ପବିତ୍ର ‘ଛେରା ପହଁରା’ ନୀତି ସମ୍ପନ୍ନ ହେବ। ଏହା ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବା କାର୍ଯ୍ୟ ଶେଷ କରି ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ କରିବାକୁ ନୀତି ନିର୍ଘଣ୍ଟରେ ସମୟ ଧାର୍ଯ୍ୟ କରାଯାଇଛି।

ଧାଡ଼ି ପହଣ୍ଡିରେ ରଥାରୂଢ଼ ହେବେ ଚତୁର୍ଦ୍ଧାମୂର୍ତ୍ତି

ପାରମ୍ପରିକ ରୀତିନୀତି ଅନୁଯାୟୀ, ସର୍ବପ୍ରଥମେ ଚକ୍ରରାଜ ସୁଦର୍ଶନ ଦେବଦଳନ ରଥରେ ବିଜେ କରିବେ। ତା’ପରେ ବଡ଼ଠାକୁର ଶ୍ରୀବଳଭଦ୍ର ତାଳଧ୍ୱଜ ରଥକୁ ପହଣ୍ଡିରେ ଆସିବେ। ତୃତୀୟରେ ଦେବୀ ସୁଭଦ୍ରା ଆଦରର ସହ ଦେବଦଳନ ରଥରେ ବିଜେ କରିବେ। ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଟାହିଆ ହଲାଇ ଗୋଟି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ କରିବେ। ଏହି ଦିବ୍ୟ ଦୃଶ୍ୟକୁ ଦେଖିବା ପାଇଁ ଦେଶ-ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀର ବଡ଼ଦାଣ୍ଡରେ ସମବେତ ହୋଇଥାନ୍ତି।

ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ସୁରକ୍ଷା ଏଜେନ୍ସିମାନେ ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ଚଳିତ ବର୍ଷ ମଧ୍ୟ ଭକ୍ତମାନଙ୍କ ସୁବିଧା, ଟ୍ରାଫିକ୍ ପରିଚାଳନା, ସୁରକ୍ଷା ବ୍ୟବସ୍ଥା ଏବଂ ଜରୁରୀକାଳୀନ ସେବାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି, ଯାହାଫଳରେ ମହାପ୍ରଭୁଙ୍କ ବିଶ୍ୱବିଖ୍ୟାତ ଘୋଷଯାତ୍ରା ନିର୍ବିଘ୍ନରେ ସମ୍ପନ୍ନ ହୋଇପାରିବ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779