ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରାକୁ ନେଇ ଭକ୍ତିମୟ ପରିବେଶରେ ମଗ୍ନ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ। ଚଳିତ ବର୍ଷ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟଠାରୁ ଆଗୁଆ ଏବଂ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଛି। ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ମଧ୍ୟରେ ଉତ୍କୃଷ୍ଟ ସମନ୍ୱୟ ଯୋଗୁଁ ରଥଯାତ୍ରାର ସମସ୍ତ ପ୍ରମୁଖ ନୀତି ସୁଚାରୁ ରୂପେ ଆଗକୁ ବଢ଼ୁଛି।
ସକାଳ ୯ଟାରେ ରଥ ପ୍ରତିଷ୍ଠା ନୀତି ସମ୍ପନ୍ନ ହେବା ପରେ ସକାଳ ୯ଟା ୩୦ ମିନିଟରେ ମହାପ୍ରଭୁଙ୍କ ପବିତ୍ର ‘ଧାଡ଼ି ପହଣ୍ଡି’ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ ସପ୍ତପାହାଚ ଦେଇ ରଥାରୂଢ଼ ହେବେ।
ଦିନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି ନୀତି ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାପରେ ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜାଙ୍କ ପାରମ୍ପରିକ ‘ଛେରା ପହଁରା’ ସେବା ଅନୁଷ୍ଠିତ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ରଥରେ ଘୋଡ଼ା ଲାଗି ସହ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ପରେ ଅପରାହ୍ଣ ପ୍ରାୟ ୪ଟାରେ ଲକ୍ଷ ଲକ୍ଷ ଭକ୍ତ ତିନି ରଥର ଦଉଡ଼ି ଟାଣି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଶୁଭାରମ୍ଭ କରିବେ। ଏବେ ସମଗ୍ର ବଡ଼ଦାଣ୍ଡ ‘ଜୟ ଜଗନ୍ନାଥ’ ଧ୍ୱନି, ଘଣ୍ଟ, କାହାଳୀ ଓ ଶଙ୍ଖନାଦରେ ପ୍ରକମ୍ପିତ ହେଉଥିବା ବେଳେ ଦେଶ-ବିଦେଶରୁ ଆସିଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ଦର୍ଶନ ପାଇଁ ଅଧୀର ଅପେକ୍ଷାରେ ରହିଛନ୍ତି।
ସଦ୍ୟତମ ସୂଚନା ଅନୁସାରେ, ସମସ୍ତ ନୀତି ନିର୍ଦ୍ଧାରିତ ସମୟ ଅନୁଯାୟୀ ସୁଚାରୁ ଭାବେ ଅଗ୍ରସର ହେଉଛି ଏବଂ ସୁରକ୍ଷା, ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜଗତର ନାଥଙ୍କ ଏହି ଦିବ୍ୟ ଘୋଷଯାତ୍ରାକୁ ନେଇ ସମଗ୍ର ଶ୍ରୀକ୍ଷେତ୍ର ଏବେ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକ ଉଲ୍ଲାସରେ ଉତ୍ସବମୁଖର ହୋଇଉଠିଛି।

Total Users : 1000779