ଆର୍.ଆଇ (Revenue Inspector) ଓ ଅମିନ ନିଯୁକ୍ତି ପରୀକ୍ଷା ଏବଂ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଏକା ଦିନରେ ହେବାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱର ଅବସାନ ଘଟିଛି। ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି OTET ପରୀକ୍ଷାର ତାରିଖ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଜୁନ୍ ୨୮ ତାରିଖରେ ହେବାକୁ ଥିବା OTET ବର୍ତ୍ତମାନ ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହେବ।
ଅନ୍ୟପଟେ, OSSSC ପକ୍ଷରୁ ପରିଚାଳିତ ହେଉଥିବା ଆର୍.ଆଇ ଓ ଅମିନ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜୁନ୍ ୨୮ ତାରିଖରେ ହିଁ ଆୟୋଜିତ ହେବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା ପରେ ମାଧ୍ୟମିକ ଶିକ୍ଷା ପରିଷଦ (BSE) OTET ପରୀକ୍ଷାର ତାରିଖ ବଦଳାଇବାକୁ ନିଷ୍ପତ୍ତି ନେଇଛି। ଏହା ଦ୍ୱାରା ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଏକ ଦିନରେ ପଡ଼ିବାରୁ ପରୀକ୍ଷାର୍ଥୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ହୋଇଛି।
ଜୁଲାଇ ୫ ତାରିଖରେ ହେବାକୁ ଥିବା OTET ପରୀକ୍ଷାର ପେପର-୧ ସକାଳ ୯ଟାରୁ ୧୧:୩୦ ପର୍ଯ୍ୟନ୍ତ ଏବଂ ପେପର-୨ ଦିନ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ସମ୍ବନ୍ଧୀୟ ଅନ୍ୟ ସମସ୍ତ ନିୟମ ଓ ନିର୍ଦ୍ଦେଶାବଳୀ ପୂର୍ବବତ୍ ରହିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ, ଆର୍.ଆଇ ଓ ଅମିନ ପରୀକ୍ଷାରେ ପ୍ରାୟ ୧୬ ହଜାର ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ। ଦୁଇଟି ପରୀକ୍ଷା ଏକା ଦିନରେ ହେବାକୁ ନେଇ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଶେଷରେ ସରକାର ଓ ସମ୍ପୃକ୍ତ ବିଭାଗମାନଙ୍କ ହସ୍ତକ୍ଷେପ ପରେ OTET ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।
ଏହି ନିଷ୍ପତ୍ତି ଦ୍ୱାରା ଉଭୟ ପରୀକ୍ଷାର୍ଥୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଥିବାବେଳେ, କୌଣସି ପ୍ରାର୍ଥୀ ଯେପରି ପରୀକ୍ଷାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ସରକାର ସକାରାତ୍ମକ ପଦକ୍ଷେପ ନେଇଥିବା ମତ ପ୍ରକାଶ ପାଇଛି।

Total Users : 1000779