ପଟିଆର ଏକ ହୋଟେଲରୁ ଧରାପଡ଼ିଲେ ଅଭିଯୁକ୍ତ; ଗିରଫ ସଂଖ୍ୟା ବଢ଼ି ୧୭, ପୋଲିସର ଭୂମିକାକୁ ନେଇ ଜାରି ରହିଛି ପ୍ରଶ୍ନ
ରାଜଧାନୀ ଉପକଣ୍ଠ ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ଆଉ ଏକ ବଡ଼ ସଫଳତା ମିଳିଛି। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଅଶୋକ ଜେନାଙ୍କୁ ଭୁବନେଶ୍ୱରର ପଟିଆ ଅଞ୍ଚଳର ଏକ ହୋଟେଲରୁ ଗିରଫ କରାଯାଇଛି। ଅଶୋକଙ୍କ ଘର କଟକ ଜିଲ୍ଲାର ଗଙ୍ଗେଶ୍ୱରଗଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି।
ଏହି ଗିରଫଦାରି ପରେ ସୌମ୍ୟ ହତ୍ୟା ମାମଲାରେ ମୋଟ ଗିରଫ ସଂଖ୍ୟା ୧୭ରେ ପହଞ୍ଚିଛି। ପୂର୍ବରୁ କମିଶନରେଟ ପୋଲିସ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ, ତଦନ୍ତ ଭାର ନେବା ପରେ କ୍ରାଇମବ୍ରାଞ୍ଚ ଆଉ ୬ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ର ପୂର୍ବରୁ ଗିରଫ ହୋଇସାରିଛନ୍ତି।
ଗତ ମେ ୭ ତାରିଖରେ ବାଲିଅନ୍ତା ଅଞ୍ଚଳରେ ଏକ ଭିଡ଼ ମଧ୍ୟରେ ରେଳବାଇ କନେଷ୍ଟବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣା ସମୟରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରି ନଥିବା ଅଭିଯୋଗ ଉଠିଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ଶରୀରର ଗଭୀର ଆଭ୍ୟନ୍ତରୀଣ ଆଘାତ ଯୋଗୁଁ ସୌମ୍ୟଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ଭାବେ ସ୍ପଷ୍ଟ ହୋଇଛି।
ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜାରି ରହିଥିବା ବେଳେ ପୋଲିସର ଭୂମିକାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି। ଘଟଣାସ୍ଥଳ ନିକଟରେ ଘରୋଇ ହସ୍ପିଟାଲ ଥିବା ସତ୍ତ୍ୱେ କାହିଁକି ସୌମ୍ୟଙ୍କୁ ଦୂରସ୍ଥ ବାଳକାଟି ସରକାରୀ ହସ୍ପିଟାଲକୁ ନିଆଯାଇଥିଲା, ତାହାକୁ ନେଇ ପରିବାର ପକ୍ଷରୁ ପ୍ରଶ୍ନ ଉଠାଯାଇଛି।
ଏପଟେ ମାମଲାକୁ ନେଇ ବିବାଦରେ ଥିବା ବରିଷ୍ଠ IPS ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ରାଜ୍ୟ ସରକାର ବଦଳି କରି ଗୃହ ବିଭାଗରେ OSD ଭାବେ ନିଯୁକ୍ତ କରିଛନ୍ତି। ଅନ୍ୟପଟେ, ଜାତୀୟ ମାନବାଧିକାର ଆୟୋଗ (NHRC) ଟିମ୍ ମଧ୍ୟ ଘଟଣାର ଅନୁଧ୍ୟାନ ପାଇଁ ଓଡ଼ିଶା ଆସିବାକୁ ଥିବାରୁ ମାମଲାର ତଦନ୍ତ ଆହୁରି ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେବ ବୋଲି ଚର୍ଚ୍ଚା ହେଉଛି।
ଘଟଣାର ସମ୍ପୂର୍ଣ୍ଣ ସତ୍ୟ ଉନ୍ମୋଚନ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ପରିବାର ସହ ବିଭିନ୍ନ ସାମାଜିକ ସଂଗଠନଙ୍କ ଚାପ ବଢ଼ୁଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ଜୋରଦାର କରିଛି।

Total Users : 1000779