ଗଞ୍ଜାମ:
ରୋଜଗାରର ଆଶା ନେଇ ସୁଦୂର ମୁମ୍ବାଇ ଯାଇଥିବା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଭେଟସିଙ୍ଗ ଗ୍ରାମର ଯୁବକ ବୁଦ୍ଧିରାମଙ୍କ ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ପ୍ରାୟ ତିନି ବର୍ଷ ଧରି ସେ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଇଲେକ୍ଟ୍ରିସିଆନ୍ ଭାବେ କାର୍ଯ୍ୟ କରୁଥିବାବେଳେ, ଜୁଲାଇ ୪ ତାରିଖରେ କାର୍ଯ୍ୟରତ ଅବସ୍ଥାରେ ବିଦ୍ୟୁତ ସ୍ପର୍ଶରେ ପ୍ରାଣ ହରାଇଥିଲେ। ମୁମ୍ବାଇରେ ଥିବା ଓଡ଼ିଆ ସଂଗଠନ, ଜିଲ୍ଲା ଶ୍ରମ ବିଭାଗ ଏବଂ ଓଡ଼ିଶା ସରକାରଙ୍କ ସମନ୍ୱୟରେ ତାଙ୍କ ମରଶରୀର ଜନ୍ମମାଟି ଭେଟସିଙ୍ଗ ଗ୍ରାମକୁ ଅଣାଯାଇଥିଲା।
ମରଶରୀର ଗାଁରେ ପହଞ୍ଚିବା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା।
ଘଟଣା ପରେ କବିସୂର୍ଯ୍ୟନଗର ତହସିଲଦାର ଏବଂ ବ୍ଲକ ପ୍ରଶାସନ ମୃତକଙ୍କ ପରିବାରକୁ ଭେଟି ସରକାରୀ ସହାୟତା ଓ ଆବଶ୍ୟକ ସହଯୋଗର ଆଶ୍ୱାସନ ଦେଇଛନ୍ତି।
ଏହି ଦୁର୍ଘଟଣା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ କାର୍ଯ୍ୟସ୍ଥଳ ସୁରକ୍ଷା ଏବଂ ସେମାନଙ୍କ କଲ୍ୟାଣକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ରୋଜଗାରର ସ୍ୱପ୍ନ ନେଇ ଘରୁ ବାହାରିଥିବା ଜଣେ ଯୁବକଙ୍କ ଏଭଳି ଦୁଃଖଦ ଅନ୍ତ କେବଳ ଗୋଟିଏ ପରିବାର ପାଇଁ ନୁହେଁ, ସମଗ୍ର ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିଛି। ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ ଯଥୋଚିତ କ୍ଷତିପୂରଣ ଏବଂ ଦୀର୍ଘମିଆଦି ସହାୟତା ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।

Total Users : 1000779