ଛାଡ଼ପତ୍ର ପାଇଥିବା ମହିଳାଙ୍କ ଆର୍ଥିକ ସୁରକ୍ଷାକୁ ଗୁରୁତ୍ୱ ଦେଇ ଝାଡ଼ଖଣ୍ଡ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ଜଣେ ମହିଳାଙ୍କ ସ୍ଥାୟୀ ଭରଣପୋଷଣ (Alimony) ରାଶିକୁ ୧୦ ଲକ୍ଷ ଟଙ୍କାରୁ ବଢ଼ାଇ ୪୦ ଲକ୍ଷ ଟଙ୍କା କରିଛନ୍ତି। ମୁଦ୍ରାସ୍ଫୀତି, ବୃଦ୍ଧାବସ୍ଥାରେ ଚିକିତ୍ସା ଖର୍ଚ୍ଚ ଏବଂ ମହିଳାଙ୍କ ଭବିଷ୍ୟତ ଜୀବନଯାପନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ବିଚାରପତି ସୁଜିତ ନାରାୟଣ ପ୍ରସାଦ ଏବଂ ବିଚାରପତି ସଞ୍ଜୟ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। କୋର୍ଟଙ୍କ ମତାନୁସାରେ, ବର୍ତ୍ତମାନ ମହିଳାଙ୍କ ବୟସ ୫୫ ବର୍ଷ ଏବଂ ହାରାହାରି ଜୀବନକାଳକୁ ୭୨ ବର୍ଷ ଧରିଲେ ତାଙ୍କୁ ଆଗାମୀ ୧୭ ବର୍ଷ ପର୍ଯ୍ୟନ୍ତ ନିଜ ଜୀବନ ନିର୍ବାହ କରିବାକୁ ପଡ଼ିବ। ବର୍ତ୍ତମାନର ଆର୍ଥିକ ପରିସ୍ଥିତି, ମହଙ୍ଗା ମାଡ଼ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବ୍ୟୟକୁ ବିଚାର କଲେ ୧୦ ଲକ୍ଷ ଟଙ୍କାର ଭରଣପୋଷଣ ରାଶି ଯଥେଷ୍ଟ ନୁହେଁ ବୋଲି କୋର୍ଟ ମନେ କରିଛନ୍ତି।
ମାମଲାର ତଥ୍ୟ ଅନୁସାରେ, ଉଭୟଙ୍କ ବିବାହ ୧୯୮୪ ମସିହାରେ ହୋଇଥିଲା। ତେବେ ୧୯୯୦ ମସିହାରୁ ସେମାନେ ପୃଥକ ଭାବେ ରହୁଥିଲେ। ସ୍ୱାମୀ ଜଣେ ରେଳବାଇ କର୍ମଚାରୀ ହୋଇଥିବା ବେଳେ ତାଙ୍କର ମାସିକ ଦରମା ୮୧ ହଜାର ଟଙ୍କାରୁ ଅଧିକ ଥିବା ସହ ସେ ଖୁବ୍ ଶୀଘ୍ର ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ପରିବାର ଅଦାଲତ ପୂର୍ବରୁ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଏକକାଳୀନ ଭରଣପୋଷଣ ରାଶି ଧାର୍ଯ୍ୟ କରିଥିଲେ। ହେଲେ ଏହି ରାଶି ଅପର୍ଯ୍ୟାପ୍ତ ବୋଲି ଦର୍ଶାଇ ମହିଳା ଜଣକ ହାଇକୋର୍ଟରେ ଆବେଦନ କରିଥିଲେ।
ମାମଲାର ଶୁଣାଣି ପରେ ହାଇକୋର୍ଟ କହିଛନ୍ତି ଯେ, ବିବାହ ବିଚ୍ଛେଦ ହୋଇଗଲେ ମଧ୍ୟ ପତ୍ନୀଙ୍କ ପ୍ରତି ସ୍ୱାମୀଙ୍କ ଆର୍ଥିକ ଦାୟିତ୍ୱ ସମ୍ପୂର୍ଣ୍ଣ ଶେଷ ହୋଇଯାଏ ନାହିଁ। ମହିଳା ଜଣକ ଯେପରି ବିବାହ ସମୟରେ ପାଉଥିବା ସାମାଜିକ ଏବଂ ଆର୍ଥିକ ମର୍ଯ୍ୟାଦାକୁ ବଜାୟ ରଖିପାରିବେ, ସେଥିପାଇଁ ଉଚିତ ଆର୍ଥିକ ସୁରକ୍ଷା ମିଳିବା ଆବଶ୍ୟକ।
ସ୍ୱାମୀଙ୍କ ଆୟ, ଭବିଷ୍ୟତ ପେନସନ ସୁବିଧା ଏବଂ ମହିଳାଙ୍କ ଦୀର୍ଘମିଆଦି ଆର୍ଥିକ ଆବଶ୍ୟକତାକୁ ବିଚାର କରି କୋର୍ଟ ଭରଣପୋଷଣ ରାଶିକୁ ୧୦ ଲକ୍ଷ ଟଙ୍କାରୁ ବଢ଼ାଇ ୪୦ ଲକ୍ଷ ଟଙ୍କା କରିଛନ୍ତି। ଏହି ରାୟକୁ ମହିଳାଙ୍କ ଆର୍ଥିକ ଅଧିକାର ଓ ସୁରକ୍ଷା ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

Total Users : 1000779