ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ଗ୍ରାମ ପଞ୍ଚାୟତରେ ନବନିର୍ମିତ ଧଳପୁର ବହୁମୁଖୀ ସମବାୟ ସମିତିର ଶୁଭ ଉଦ୍ଘାଟନ ଉତ୍ସବ ଉତ୍ସାହ ଓ ଆନନ୍ଦର ସହିତ ଅନୁଷ୍ଠିତ ହୋଇଛି। ଏହି ସମବାୟ ସମିତିକୁ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଔପଚାରିକ ଭାବେ ଉଦ୍ଘାଟନ କରିଥିଲେ। ସମବାୟ ସମିତି ମାଧ୍ୟମରେ ଅଞ୍ଚଳର ଚାଷୀମାନେ ସାର, ବିହନ, କୃଷି ଋଣ, ବିଭିନ୍ନ ସରକାରୀ ଯୋଜନାର ସୁବିଧା ଏବଂ କୃଷି ସମ୍ବନ୍ଧୀୟ ଅନ୍ୟାନ୍ୟ ସେବା ସହଜରେ ପାଇପାରିବେ ବୋଲି ଆଶା ପ୍ରକାଶ କରାଯାଇଛି।
ଉଦ୍ଘାଟନୀ ସମାରୋହରେ ସାଂସଦଙ୍କ ପ୍ରତିନିଧି ସୁବାଷ ପ୍ରଧାନ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ବୌଦ୍ଧ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶାନ୍ତିଲତା ମହାକୁଡ଼, ପୁରୁଣାକଟକ ବିଜେପି ମଣ୍ଡଳ ସଭାପତି ବିନୋଦ ପ୍ରଧାନ, ବୌଦ୍ଧ ଜିଲ୍ଲା କୃଷକ ମୋର୍ଚ୍ଚା ସୋସିଆଲ ମିଡିଆ କୋ-ଅର୍ଡିନେଟର ବିଜୟ କୁମାର ଚାଉଳିଆ, ଧଳପୁର ସରପଞ୍ଚ ସୁଜାତା କର୍ଣ୍ଣ, ବିଜେପିର ବରିଷ୍ଠ ନେତା ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ବହୁ ଜନପ୍ରତିନିଧି, ସମବାୟ ସମିତିର ସଦସ୍ୟ, ଚାଷୀ ଏବଂ ଶତାଧିକ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।
ଏହି ଅବସରରେ ବିଧାୟକ ସରୋଜ କୁମାର ପ୍ରଧାନ କହିଥିଲେ ଯେ, ସମବାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ହେଉଛି କୃଷକଙ୍କ ଆର୍ଥିକ ଉନ୍ନତିର ମୂଳ ଆଧାର। ସମବାୟ ସମିତି ମାଧ୍ୟମରେ କୃଷକମାନେ ଯେପରି ଠିକ୍ ସମୟରେ କୃଷି ଉପକରଣ, ଋଣ ସୁବିଧା ଓ ସରକାରୀ ସେବା ପାଇପାରିବେ, ସେଥିପାଇଁ ସରକାର ପ୍ରାଥମିକତା ଦେଇ କାମ କରୁଛନ୍ତି। ସେ ଆହୁରି କହିଥିଲେ ଯେ ଗ୍ରାମାଞ୍ଚଳର ବିକାଶ ସହିତ କୃଷକଙ୍କ ସ୍ୱାବଲମ୍ବନ ହିଁ ରାଜ୍ୟର ସାମଗ୍ରିକ ବିକାଶର ଭିତ୍ତି।
କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମଧ୍ୟ ସମବାୟ ଆନ୍ଦୋଳନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ, ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା, ଚାଷୀଙ୍କ ଆୟ ବୃଦ୍ଧି କରିବା ଏବଂ ସରକାରୀ ଯୋଜନାର ସୁବିଧାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ସମବାୟ ସମିତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମିତିର କାର୍ଯ୍ୟକଳାପ ସ୍ୱଚ୍ଛ, ଜବାବଦେହୀ ଓ କୃଷକମୁଖୀ ହେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଉଦ୍ଘାଟନ ଉତ୍ସବକୁ ନେଇ ଧଳପୁର ଏବଂ ଆଖପାଖ ଅଞ୍ଚଳରେ ଉତ୍ସାହର ପରିବେଶ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଚାଷୀମାନେ ଏହି ସମବାୟ ସମିତି ଆରମ୍ଭ ହେବାକୁ ସ୍ୱାଗତ କରିବା ସହ ଏହା ଭବିଷ୍ୟତରେ କୃଷି କ୍ଷେତ୍ରର ବିକାଶ ଏବଂ ଚାଷୀଙ୍କ ଆର୍ଥିକ ସଶକ୍ତିକରଣରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।

Total Users : 1000779