ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସ୍ଥାନୀୟ ଲୋକେ ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ତୁରନ୍ତ ବଡ଼ଚଣା ଥାନାକୁ ଖବର ଦେଇଥିଲେ। ସୂଚନା ପାଇବା ପରେ ବଡ଼ଚଣା ପୁଲିସ, ଚଣ୍ଡିଖୋଲ ଆଇଆଇସି ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଖରୀ ମଧ୍ୟରୁ ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବାରୁ ଘଟଣାକୁ ନେଇ ରହସ୍ୟ ଘନୀଭୂତ ହୋଇଛି।
ପ୍ରାଥମିକ ତଦନ୍ତରେ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହା ଏକ ଦୁର୍ଘଟଣା, ଆତ୍ମହତ୍ୟା ନା କୌଣସି ଅପରାଧଜନିତ ଘଟଣା, ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ବିଭିନ୍ନ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯାଉଥିବା ବେଳେ ଯାଜପୁର ଫରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବୈଜ୍ଞାନିକ ପଦ୍ଧତିରେ ତଦନ୍ତ କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
ଅନ୍ୟପକ୍ଷରେ, ମୃତକଙ୍କ ପରିଚୟ ଜାଣିବା ପାଇଁ ପାଖାପାଖି ଥାନା ଏବଂ ବିଭିନ୍ନ ଜିଲ୍ଲାର ନିଖୋଜ ବ୍ୟକ୍ତିଙ୍କ ତଥ୍ୟ ସହ ମେଳ କରାଯାଉଛି। ଘଟଣାକୁ ଗୁରୁତ୍ୱର ସହ ନେଇ ବଡ଼ଚଣା ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ପାଇଁ ସ୍ଥାନୀୟ ଲୋକେ ମଧ୍ୟ ଅପେକ୍ଷା କରିଛନ୍ତି। ତଦନ୍ତ ରିପୋର୍ଟ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ରହସ୍ୟମୟ ମୃତ୍ୟୁ ଘଟଣା ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି।

Total Users : 1000779