ଆସନ୍ତା ଜୁଲାଇ ୨ ତାରିଖ ପାଖାପାଖି ଓଡ଼ିଶାରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ୩୦ ତାରିଖ ପାଖାପାଖି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଗଠିତ ହୋଇ ଧୀରେ ଧୀରେ ଶକ୍ତିଶାଳୀ ହୋଇ ଲଘୁଚାପରେ ପରିଣତ ହେବ।
ଏହି ପ୍ରଣାଳୀର ପ୍ରଭାବରେ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ଥିବା ବେଳେ, ୨ରୁ ୮ ତାରିଖ ମଧ୍ୟରେ ସ୍ୱାଭାବିକ ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ ବୋଲି ଆଇଏମ୍ଡି ତାହାର ବିସ୍ତାରିତ ପୂର୍ବାନୁମାନରେ ଉଲ୍ଲେଖ କରିଛି।
ବର୍ତ୍ତମାନ ସୁଦ୍ଧା (୧ରୁ ୨୫ ତାରିଖ) ରାଜ୍ୟରେ ପ୍ରାୟ ୪୮% ନିଅଣ୍ଟିଆ ବର୍ଷା ଦେଖାଯାଇଛି। ଦେବଗଡ଼, ନୂଆପଡ଼ା, ସମ୍ବଲପୁର, କଳାହାଣ୍ଡି, ସୁନ୍ଦରଗଡ଼, ଅନୁଗୋଳ, ବଲାଙ୍ଗିର ଓ ପୁରୀ ସହିତ ଅନେକ ଜିଲ୍ଲାରେ ଗୁରୁତର ନିଅଣ୍ଟିଆ ପରିସ୍ଥିତି ରହିଛି।
ଆଇଏମ୍ଡି ଆକଳନ ଅନୁସାରେ ଶୁକ୍ରବାର ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ଗଜପତି, ନୂଆପଡ଼ା, ବଲାଙ୍ଗିର ଓ କଳାହାଣ୍ଡି ସହିତ ୯ଟି ଜିଲ୍ଲାରେ ଭାରି ବର୍ଷା ସମ୍ଭାବନା ରହିଛି ଏବଂ ଏହି ଅଞ୍ଚଳଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳଙ୍କ ମତାନୁସାରେ, ଏବେ ପର୍ଯ୍ୟନ୍ତ ରାଜ୍ୟରେ ଚାଷ ଉପଯୋଗୀ ଲଗାଣ ବର୍ଷା ପାଇଁ ଆବଶ୍ୟକ ମୌସୁମୀ ଟ୍ରଫ୍ ପୂର୍ଣ୍ଣ ଭାବେ ଶକ୍ତିଶାଳୀ ହୋଇନାହିଁ। ତେଣୁ ଚାଷୀମାନେ କେବଳ ଦିନେ-ଦୁଇ ଦିନର ବର୍ଷାକୁ ଆଧାର କରି ବୁଣାବୁଣି ଆରମ୍ଭ କରିବାରୁ ବଚିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

Total Users : 1000779