ପାଠ୍ୟପୁସ୍ତକ ତ୍ରୁଟି ମାମଲାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାର ତଦନ୍ତ ପ୍ରକ୍ରିୟା ଏବେ ଆହୁରି ତ୍ୱରାନ୍ୱିତ ହୋଇଛି। ଏହି ପ୍ରସଙ୍ଗରେ ଗଣଶିକ୍ଷା ସଚିବଙ୍କ ଚ୍ୟାମ୍ବରରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁ, OSEPA ନିର୍ଦ୍ଦେଶିକା ଅନନ୍ୟା ଦାସଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଘଟଣାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଗଣଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ପରେ ବିଭାଗୀୟ ସ୍ତରରେ ହୋଇଥିବା ଏହି ବୈଠକକୁ ତଦନ୍ତ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
ସୂଚନା ଅନୁଯାୟୀ, ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ମାମଲାରେ ବିଧିବଦ୍ଧ ଭାବେ କ୍ରାଇମବ୍ରାଞ୍ଚରେ ଏଫ୍ଆଇଆର୍ ଦାଖଲ କରିବେ SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁ। ଏହାପୂର୍ବରୁ ଗଣଶିକ୍ଷା ସଚିବ ଓ OSEPA ନିର୍ଦ୍ଦେଶିକାଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ତଦନ୍ତର ରୂପରେଖା ନେଇ ମଧ୍ୟ ଚର୍ଚ୍ଚା କରାଯାଇଛି। ଏହି ମାମଲାରେ କୌଣସି ଷଡ଼ଯନ୍ତ୍ର କିମ୍ବା ଅବହେଳା ରହିଛି କି ନାହିଁ, ସେନେଇ କ୍ରାଇମବ୍ରାଞ୍ଚ ଗଭୀର ତଦନ୍ତ ଆରମ୍ଭ କରିଛି।
ଘଟଣାର ନିରପେକ୍ଷ ଓ ବ୍ୟାପକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜଣେ ଏସ୍ପିଙ୍କ ନେତୃତ୍ୱରେ ପାଞ୍ଚଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏହି ଟିମ୍ରେ ଜଣେ ଡିଏସ୍ପିଙ୍କ ସମେତ ଅନ୍ୟ ତିନିଜଣ ଅଭିଜ୍ଞ ଅଧିକାରୀ ସାମିଲ ଅଛନ୍ତି। ତଦନ୍ତକାରୀ ଦଳ ପାଠ୍ୟପୁସ୍ତକ ପ୍ରସ୍ତୁତି, ସମ୍ପାଦନା, ଅନୁମୋଦନ ଓ ପ୍ରକାଶନ ପ୍ରକ୍ରିୟା ସହ ଜଡ଼ିତ ପ୍ରତ୍ୟେକ ସ୍ତରକୁ ଖତିଆନ କରୁଥିବା ବେଳେ, ତ୍ରୁଟି ପଛରେ ଥିବା ସମ୍ଭାବ୍ୟ ବ୍ୟକ୍ତି ଓ ସଂସ୍ଥାମାନଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଛି।
ସରକାର ସ୍ପଷ୍ଟ କରିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କୌଣସି ପ୍ରକାର ଅବହେଳା କିମ୍ବା ଦାୟିତ୍ୱହୀନତାକୁ ବରଦାସ୍ତ କରାଯିବ ନାହିଁ। ତଦନ୍ତ ଶେଷ ହେବା ପରେ ଯେଉଁମାନଙ୍କର ସମ୍ପୃକ୍ତି ପ୍ରମାଣିତ ହେବ, ସେମାନଙ୍କ ବିରୋଧରେ ପ୍ରଚଳିତ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ସମସ୍ତଙ୍କ ନଜର କ୍ରାଇମବ୍ରାଞ୍ଚ ତଦନ୍ତର ରିପୋର୍ଟ ଓ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।

Total Users : 1000779