ନୟାଗଡ଼ ଜିଲ୍ଲାର ବଡ଼ପଣ୍ଡୁସର ଠାରେ ନିଖିଳ ଉତ୍କଳ ଗୋଲ ସମାଜର ପ୍ରଥମ ଜିଲ୍ଲା ସ୍ତରୀୟ ଅଧିବେଶନ ଭବ୍ୟ ଓ ଶୃଙ୍ଖଳିତ ପରିବେଶରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ତଥା ଯୁବନେତା ସ୍ନେହରଞ୍ଜନ ଦାସ ଜୟାସିଂଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାବେଶରେ ରାଜ୍ୟ ସ୍ତରୀୟ ପଦାଧିକାରୀ, ଜିଲ୍ଲାର ସମସ୍ତ ଆଠଟି ବ୍ଲକର ପ୍ରତିନିଧି ଏବଂ ସମାଜର ବହୁ ସଂଖ୍ୟକ ସଦସ୍ୟ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ ସଙ୍ଗୀତ, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଅଧିବେଶନରେ ସମାଜର ଏକତା, ସଂଗଠନକୁ ଅଧିକ ସୁଦୃଢ଼ କରିବା, ଯୁବପିଢ଼ିଙ୍କୁ ସଂଗଠନ ସହ ଯୋଡ଼ିବା ଏବଂ ସମାଜର ନ୍ୟାୟସଙ୍ଗତ ଅଧିକାର ପାଇଁ ସଂଗଠିତ ଭାବେ କାର୍ଯ୍ୟ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟ ସଂଗଠନ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଶାନ୍ତ ସମାଜର ଏକତାକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଉପରେ ମତ ରଖିଥିବା ବେଳେ, ରାଜ୍ୟ ଉପସଭାପତି ଗାଁରୁ ଗାଁ ବୁଲି ସମାଜର ଲୋକଙ୍କୁ ସଂଗଠିତ କରିବା ଏବଂ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ।
ଏହି ଅଧିବେଶନରେ ରାଜ୍ୟ ଓ ଜିଲ୍ଲା ସ୍ତରର ବହୁ ପଦାଧିକାରୀ, ମହିଳା ନେତୃବୃନ୍ଦ ଓ ସମାଜର ବରିଷ୍ଠ ସଦସ୍ୟମାନେ ଯୋଗଦେଇ ସଂଗଠନର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ମତବିନିମୟ କରିଥିଲେ। ନୟାଗଡ଼ ଜିଲ୍ଲାରେ ଗୋଲ ସମାଜକୁ ଆହୁରି ସଶକ୍ତ ଓ ସଂଗଠିତ କରିବା ସହ ସାମାଜିକ ଉନ୍ନତି ଓ ଅଧିକାର ସୁରକ୍ଷା ଦିଗରେ ଏହି ଅଧିବେଶନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।

Total Users : 1000779