ଲାଞ୍ଜିଗଡରେ ନାବାଳିକାଙ୍କୁ ଅପହରଣ ଅଭିଯୋଗ, ପୁଲିସର ତଦନ୍ତ ଆରମ୍ଭ
ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବିଜେପୁର ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଘଟଣାକୁ ଗୁରୁତ୍ୱର ସହ ନେଇ ବିଜେପୁର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନାବାଳିକାଙ୍କ ସନ୍ଧାନ ପାଇଁ ବିଭିନ୍ନ ସମ୍ଭାବ୍ୟ ସ୍ଥାନରେ ଖୋଜାଖୋଜି ଜାରି ରହିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ନାବାଳିକା ଜଣକ ସ୍ଥାନୀୟ ଏକ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ। ଗତ ବୁଧବାର ସେ ପ୍ରତିଦିନ ପରି ସ୍କୁଲକୁ ଯାଇଥିଲେ, କିନ୍ତୁ ସ୍କୁଲରୁ ଫେରିବା ପରେ ଘରକୁ ଆସିନଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ପ୍ରଥମେ ସମ୍ପର୍କୀୟ, ସାଙ୍ଗସାଥୀ ଓ ସାହିପଡ଼ୋଶୀଙ୍କ ଘରେ ଖୋଜାଖୋଜି କରିଥିଲେ। ଅନେକ ଖୋଜାଖୋଜି ସତ୍ତ୍ୱେ କୌଣସି ସନ୍ଧାନ ମିଳିନଥିବାରୁ ପରିବାରର ଚିନ୍ତା ବଢ଼ିଥିଲା।
ପରବର୍ତ୍ତୀ ସମୟରେ ପରିବାର ଲୋକଙ୍କ ସନ୍ଦେହ ପାଜୀବହାଳି ଗ୍ରାମର ଜଣେ ଯୁବକଙ୍କ ଉପରେ ପଡ଼ିଥିଲା। ସେହି ଯୁବକ ନାବାଳିକାଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ କରି ସେମାନେ ବିଜେପୁର ଥାନାରେ ଲିଖିତ ଏତଲା ଦେଇଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରି ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ସନ୍ଦିଗ୍ଧ ଯୁବକଙ୍କ ଖୋଜ ଚାଲିଥିବା ବେଳେ ନାବାଳିକାଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ପୁଲିସ ପଦକ୍ଷେପ ନେଉଛି।
ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନାବାଳିକାଙ୍କ ସୁରକ୍ଷିତ ଉଦ୍ଧାର ସହ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପୁଲିସ କହିଛି ଯେ, ତଦନ୍ତ ଜାରି ରହିଛି ଏବଂ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ।

Total Users : 1000779