ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲା ପୁଣିଥରେ ଧାନ ବିକ୍ରି ସମସ୍ୟାକୁ ନେଇ ଚର୍ଚ୍ଚାରେ ରହିଛି। ଧାନ ମଣ୍ଡିରେ ବିକ୍ରି ପାଇଁ ଆବଶ୍ୟକ ଟୋକନ ନମିଳିବା ଏବଂ ପ୍ରଶାସନିକ ଅବହେଳା ଅଭିଯୋଗ କରି ଜଣେ ଯୁବଚାଷୀ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିବା ଘଟଣା ସାମ୍ନାକୁ ଆସିଛି।
ଏହି ଘଟଣା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ମେଲଛାମୁଣ୍ଡା ଗ୍ରାମରେ ଘଟିଛି। ଗ୍ରାମର ଯୁବଚାଷୀ ଗୋପାଳ ସାହୁ ଚଳିତ ରବି ଋତୁରେ ଋଣ କରି ଧାନ ଚାଷ କରିଥିଲେ। ଫସଲ ଅମଳ ପରେ ସରକାରୀ ମଣ୍ଡିରେ ଧାନ ବିକ୍ରି କରି ଋଣ ପରିଶୋଧ କରିବା ସହ ପରିବାରର ଆର୍ଥିକ ଆବଶ୍ୟକତା ପୂରଣ କରିବାର ଆଶା ରଖିଥିଲେ। କିନ୍ତୁ ଧାନ ବିକ୍ରି ପାଇଁ ଏପର୍ଯ୍ୟନ୍ତ ଟୋକନ ମିଳିନଥିବାରୁ ସେ ଗଭୀର ଚିନ୍ତାରେ ପଡ଼ିଛନ୍ତି।
ପରିବାରର ଆର୍ଥିକ ସଙ୍କଟ ଓ ଅସୁସ୍ଥ ମାଆଙ୍କ ଚିକିତ୍ସା ଖର୍ଚ୍ଚ ଭାର ବହନ କରିବା ପାଇଁ ସେ ବାଧ୍ୟ ହୋଇ କିଛି ଧାନ ଖୋଲା ବଜାରରେ କମ୍ ଦରରେ ବିକ୍ରି କରିଥିବା ଜଣାପଡ଼ିଛି। ଅବଶିଷ୍ଟ ଧାନକୁ ସରକାରୀ ମଣ୍ଡିରେ ବିକ୍ରି କରିବା ଆଶାରେ ସେ ଟୋକନ ପାଇଁ ଅପେକ୍ଷା କରି ରହିଛନ୍ତି।
ଗୋପାଳ ସାହୁଙ୍କ ଅଭିଯୋଗ ଅନୁସାରେ, ଟୋକନ ସମସ୍ୟା ନେଇ ସେ ବାରମ୍ବାର ଜିଲ୍ଲା ପ୍ରଶାସନଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସନ୍ତୋଷଜନକ ସମାଧାନ ମିଳିନାହିଁ। ଚାଷ ପାଇଁ ନେଇଥିବା ଋଣ, ଧାନ ବିକ୍ରିରେ ବିଳମ୍ବ ଏବଂ ପ୍ରଶାସନିକ ନିରବତା ତାଙ୍କୁ ମାନସିକ ଭାବେ ବିପର୍ଯ୍ୟସ୍ତ କରିଥିବା ସେ କହିଛନ୍ତି।
ଶେଷରେ ନିରାଶ ହୋଇ ସେ ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ ପତ୍ର ପ୍ରଦାନ କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଧାନ କ୍ରୟ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଚାଷୀମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ଜୋର ଧରିଛି।
ଏହି ଘଟଣା ପୁଣିଥରେ ଚାଷୀମାନଙ୍କ ଧାନ ବିକ୍ରି ସମସ୍ୟା ଏବଂ ମଣ୍ଡି ପରିଚାଳନା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଏହି ଘଟଣା ଉପରେ କିପରି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Total Users : 1000779