ଭାରତୀୟ ରେଳ ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ପରିବେଶ ଅନୁକୂଳ ଓ ଅତ୍ୟାଧୁନିକ ପ୍ରଯୁକ୍ତିରେ ନିର୍ମିତ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ସଫଳତାର ସହ ଶେଷ ପର୍ଯ୍ୟାୟର ବେଗ ପରୀକ୍ଷଣ (High-Speed Trial) ସମ୍ପନ୍ନ କରିଛି। ଏହା ଭାରତୀୟ ରେଳର ସବୁଜ ଓ ସ୍ୱଚ୍ଛ ପରିବହନ ବ୍ୟବସ୍ଥା ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି।
ହରିୟାଣାରେ ସଫଳ ଟ୍ରାଏଲ୍ ରନ
ଶୁକ୍ରବାର ହରିୟାଣାର ଜିନ୍ଦ–ସୋନିପତ ରେଳ ସେକ୍ସନରେ ହାଇଡ୍ରୋଜେନ୍ ଟ୍ରେନ୍ର ହାଇ-ସ୍ପିଡ୍ ଟ୍ରାଏଲ୍ ରନ୍ କରାଯାଇଥିଲା। ପରୀକ୍ଷଣ ସମୟରେ ଟ୍ରେନ୍ ଘଣ୍ଟାପ୍ରତି ସର୍ବାଧିକ ୧୨୦ କିଲୋମିଟର ବେଗରେ ଚଳାଚଳ କରିଥିଲା। ରେଳବାଇର ବୈଷୟିକ ଦଳ ଟ୍ରେନ୍ର ଗତି, କାର୍ଯ୍ୟଦକ୍ଷତା ଓ ସୁରକ୍ଷା ମାନଦଣ୍ଡର ସୂକ୍ଷ୍ମ ସମୀକ୍ଷା କରିଥିଲେ।
ରେଳ ଅଧିକାରୀଙ୍କ ମତାନୁସାରେ, ଏହି ପରୀକ୍ଷଣ ସଫଳ ହେବା ପରେ ଯାତ୍ରୀ ସେବା ଆରମ୍ଭ ପାଇଁ ଆବଶ୍ୟକ ଔପଚାରିକ ପ୍ରକ୍ରିୟା ଶେଷ କରାଯିବ।
କେଉଁ ମାର୍ଗରେ ଚାଲିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍?
ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ହରିୟାଣାର ଜିନ୍ଦ–ସୋନିପତ ରୁଟ୍ରେ ଚଳାଚଳ କରିବ। ଏହି ଟ୍ରେନ୍ ନୀଳ ରଙ୍ଗର ହୋଇଥିବା ବେଳେ ଏଥିରେ ଧଳା ରଙ୍ଗର ଷ୍ଟ୍ରାଇପ୍ ରହିଛି। ଏହା କେବଳ ଯାତ୍ରୀ ପରିବହନ ନୁହେଁ, ବରଂ ପରିବେଶ ସୁରକ୍ଷା ପ୍ରତି ଭାରତର ପ୍ରତିବଦ୍ଧତାର ଏକ ପ୍ରତୀକ ଭାବେ ଦେଖାଯାଉଛି।
କାହିଁକି ସ୍ୱତନ୍ତ୍ର ଏହି ଟ୍ରେନ୍?
ପାରମ୍ପରିକ ଡିଜେଲ୍ ଟ୍ରେନ୍ଗୁଡ଼ିକ ଚଳାଚଳ ସମୟରେ ଧୂଆଁ ଓ କାର୍ବନ୍ ନିର୍ଗମନ କରି ପରିବେଶକୁ ପ୍ରଦୂଷିତ କରିଥାଏ। କିନ୍ତୁ ହାଇଡ୍ରୋଜେନ୍ ଟ୍ରେନ୍ Fuel Cell Technology ବ୍ୟବହାର କରି ଚାଲିଥାଏ।
ଏହି ପ୍ରକ୍ରିୟାରେ ହାଇଡ୍ରୋଜେନ୍ ଓ ଅମ୍ଳଜାନର ରାସାୟନିକ ପ୍ରତିକ୍ରିୟାରୁ ବିଦ୍ୟୁତ୍ ଉତ୍ପାଦନ ହୁଏ, ଯାହା ଟ୍ରେନ୍କୁ ଚଳାଇଥାଏ। ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ରକ୍ରିୟାରେ ଧୂଆଁ କିମ୍ବା କ୍ଷତିକାରକ ଗ୍ୟାସ୍ ନିର୍ଗତ ହୁଏ ନାହିଁ। କେବଳ ଜଳୀୟ ବାଷ୍ପ (Water Vapour) ନିର୍ଗତ ହୁଏ, ଯାହା ଏହାକୁ ସମ୍ପୂର୍ଣ୍ଣ ପରିବେଶବନ୍ଧବ କରିଥାଏ।

Total Users : 1000779