ଝାରପଡ଼ା ସ୍ପେଶାଲ ଜେଲ୍ରେ ୫ ଜଣ କଏଦୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଜେଲ୍ କର୍ତ୍ତୃପକ୍ଷଙ୍କ ପ୍ରାଥମିକ ସୂଚନା ଅନୁଯାୟୀ, ଜେଲ୍ ପରିସରରେ ଥିବା ହସ୍ପିଟାଲରୁ ଦିଆଯାଇଥିବା କିଛି ଔଷଧ ସେବନ ପରେ କଏଦୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅବନତି ଘଟିଥିଲା। ଘଟଣାକୁ ନେଇ କାରାଗାର ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ଅସୁସ୍ଥ କଏଦୀମାନଙ୍କ ମଧ୍ୟରେ ଥିବା ମାଓବାଦୀ ଅଭିଯୁକ୍ତ ରୁପୁ ସିଂ ବର୍ତ୍ତମାନ ସୁସ୍ଥ ହୋଇ ଏମ୍ସ ଭୁବନେଶ୍ୱରରୁ ଡିସ୍ଚାର୍ଜ ହୋଇଥିବା ଜଣାପଡ଼ିଛି। ତାଙ୍କ ସହ ଜେଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆଉ ଦୁଇ ଜଣ କଏଦୀ ମଧ୍ୟ ସୁସ୍ଥ ହୋଇ ଫେରିଛନ୍ତି। ତେବେ ଏବେ ମଧ୍ୟ ୩ ଜଣ କଏଦୀ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଥିବାବେଳେ ଜଣେ ଏମ୍ସରେ ଚିକିତ୍ସା ନେଉଛନ୍ତି।
ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ଣରେ ସମ୍ପୃକ୍ତ କଏଦୀମାନେ ଜେଲ୍ କ୍ୟାଣ୍ଟିନ୍ରୁ ଜଳଖିଆ ଓ ଅନ୍ୟାନ୍ୟ ଖାଦ୍ୟ ଗ୍ରହଣ କରିଥିଲେ। ଏହାପରେ ସେମାନଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବା ଆରମ୍ଭ କରିଥିଲା। କିଛି କଏଦୀଙ୍କ ପାଟିରୁ ଫେଣ ବାହାରୁଥିବା ଦେଖି ଜେଲ୍ କର୍ମଚାରୀମାନେ ତୁରନ୍ତ ସେମାନଙ୍କୁ ଜେଲ୍ ହସ୍ପିଟାଲକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ସତ୍ତ୍ୱେ ସ୍ଥିତିରେ ସୁଧାର ନ ଆସିବାରୁ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଅସୁସ୍ଥ କଏଦୀମାନେ ହେଲେ ସାଜିଦ ଖାନ, ସୀମାଞ୍ଚଳ କୁଞ୍ଜ, ବିକାଶ ପାଇଥଳ, ବାବୁଲା ପ୍ରଧାନ ଓ ରୁପୁ ସିଂ। କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବେଡ୍ ଅଭାବରୁ ଅନ୍ୟ ଦୁଇ ଜଣଙ୍କୁ ଏମ୍ସ ଭୁବନେଶ୍ୱରକୁ ରେଫର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ, ରୁପୁ ସିଂ ଜଣେ ହାର୍ଡକୋର୍ ମାଓବାଦୀ ଭାବେ ପରିଚିତ। ଗତବର୍ଷ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବିମଳଗଡ଼ ଅଞ୍ଚଳରେ ଘଟିଥିବା ରେଳ ଲାଇନ ବିସ୍ଫୋରଣ ଘଟଣାରେ ତାଙ୍କ ସମ୍ପୃକ୍ତି ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ତାଙ୍କୁ ଗିରଫ କରିଥିଲା। ସେହି ବିସ୍ଫୋରଣରେ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ।
ରୁପୁ ସିଂଙ୍କ ଚିକିତ୍ସା ସମୟରେ କ୍ୟାପିଟାଲ ହସ୍ପିଟାଲରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଡିସିପି ଜଗମୋହନ ମୀନାଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀମାନେ ହସ୍ପିଟାଲ ପରିସର ପରିଦର୍ଶନ କରିଥିଲେ। ପ୍ରାୟ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଆଇସିୟୁ ଅଞ୍ଚଳ ଓ ହସ୍ପିଟାଲ ପ୍ରବେଶପଥରେ କଡ଼ା ନଜରଦାରି ରଖାଯାଇଥିଲା।
ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ଜେଲ୍ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଖାଦ୍ୟ କିମ୍ବା ଔଷଧ ମଧ୍ୟରୁ କେଉଁ କାରଣରୁ କଏଦୀମାନେ ଅସୁସ୍ଥ ହୋଇଥିଲେ, ତାହା ତଦନ୍ତ ରିପୋର୍ଟ ପରେ ସ୍ପଷ୍ଟ ହେବ।

Total Users : 1000779