ବାଘ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ, ୨ ଅଭିଯୁକ୍ତ ଗିରଫ
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ ଗାଁ ନିକଟସ୍ଥ ଜଙ୍ଗଲରେ କଲରା ପତିରିଆ ବାଘ ମୃତ୍ୟୁ ଘଟଣାରେ ଖଲ୍ଲିକୋଟ ବନ ବିଭାଗ ଏକ ବଡ଼ ସଫଳତା ହାସଲ କରିଛି। ଘଟଣାର ତଦନ୍ତ କରି ବନ ବିଭାଗ ଦୁଇ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଥିବାବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ବନ୍ୟ ବାରାହା ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ଫାଶ ବିଛାଇଥିଲେ। ଦୁର୍ଭାଗ୍ୟବଶତଃ ସେହି ଫାଶରେ ଏକ କଲରା ପତିରିଆ ବାଘ ପଡ଼ିଯାଇଥିବାରୁ ତାହାର ମୃତ୍ୟୁ ଘଟିଥିଲା। ଘଟଣା ସାମ୍ନାକୁ ଆସିବା ପରେ ଖଲ୍ଲିକୋଟ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବୈଜ୍ଞାନିକ ଢଙ୍ଗରେ ପ୍ରମାଣ ସଂଗ୍ରହ କରିବା ସହ ବ୍ୟାପକ ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ସମୟରେ ସଂଗୃହୀତ ପ୍ରମାଣ ଆଧାରରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରାଯାଇଥିଲା। ସେମାନଙ୍କ ନିକଟରୁ ବାରାହା ଧରିବା ପାଇଁ ବ୍ୟବହୃତ ଫାଶ ସାମଗ୍ରୀ ସହ ବିଭିନ୍ନ ବନ୍ୟଜନ୍ତୁଙ୍କ ଦାନ୍ତ, ଚମଡ଼ା ଓ ହାଡ଼ ଜବତ କରାଯାଇଛି, ଯାହା ବେଆଇନ ବନ୍ୟଜନ୍ତୁ ଶିକାର କାର୍ଯ୍ୟକଳାପ ସହ ସମ୍ପୃକ୍ତ ଥିବା ଆଶଙ୍କା କରାଯାଉଛି। ବନ ବିଭାଗ ଅଭିଯୁକ୍ତମାନଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବାବେଳେ ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ବନ୍ୟଜନ୍ତୁ ଶିକାରର କୌଣସି ବଡ଼ ରାକେଟ୍ କାର୍ଯ୍ୟ କରୁଛି କି ନାହିଁ, ସେନେଇ ଅଧିକ ତଦନ୍ତ ଜାରି ରହିଛି। ଏହି ଘଟଣା ପରେ ଅଞ୍ଚଳରେ ବନ୍ୟଜନ୍ତୁ ସୁରକ୍ଷା ନେଇ ପୁଣିଥରେ ଚିନ୍ତା ପ୍ରକାଶ ପାଇଥିବାବେଳେ ଶିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

Total Users : 1000779