ଦକ୍ଷିଣ-ପଶ୍ଚିମ ମୌସୁମୀ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାକୁ ଆବରଣ କରିଛି। ଜୁନ୍ ୧୨ ତାରିଖରେ ରାଜ୍ୟରେ ପ୍ରବେଶ କରିଥିବା ମୌସୁମୀ ଆଜି ସମଗ୍ର ରାଜ୍ୟକୁ ଛୁଇଁଛି। ଟ୍ରଫ୍ ଲାଇନ୍ ସକ୍ରିୟ ଥିବାରୁ ଆଗାମୀ ଦିନରେ ବର୍ଷା ପ୍ରଭାବ ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ପାଣିପାଗ ବିଭାଗ ଅନୁସାରେ ଆଗାମୀ ୫ ଦିନ ଧରି ରାଜ୍ୟର ବହୁ ଅଞ୍ଚଳରେ ଲଗାତାର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଓ କଟକ ସହିତ ଅନେକ ଅଞ୍ଚଳରେ ଝିପିଝିପି ବର୍ଷା ଜାରି ରହିଛି।
ବିଭାଗ ପକ୍ଷରୁ କୋରାପୁଟ, ରାୟଗଡ଼ା, କନ୍ଧମାଳ, ବରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ସମେତ ମୋଟ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଜାରି କରାଯାଇଛି।
ସେହିପରି ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ୪୦ରୁ ୫୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି। ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପାଣିପାଗ ବିଶେଷଜ୍ଞଙ୍କ ମତାନୁସାରେ ଆଗାମୀ ୨ ଦିନରେ ବର୍ଷା ପ୍ରଭାବରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିଅସ୍ କମିପାରେ, ଯାହା ଫଳରେ ଜଳବାୟୁ ଅଧିକ ସୁହାନା ହେବ।
ସମଗ୍ର ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ପାହାଡ଼ିଆ ଅଞ୍ଚଳ ଓ ନିମ୍ନଭୂମି ଅଞ୍ଚଳରେ ସାବଧାନ ରହିବାକୁ ଅପିଲ୍ କରାଯାଇଛି।

Total Users : 1000779