ବଡ଼ଚଣା, ଯାଜପୁର: ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ଗଠନର ସଂକଳ୍ପକୁ ନେଇ ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉଦୀୟମାନ’ ପକ୍ଷରୁ ଆୟୋଜିତ ସପ୍ତାହବ୍ୟାପୀ ବନ ମହୋତ୍ସବ କାର୍ଯ୍ୟକ୍ରମର ଭବ୍ୟ ସମାପନ ଧାନମଣ୍ଡଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ହୋଇଛି। ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ବିଭିନ୍ନ ବିଦ୍ୟାଳୟରେ ଆମ୍ବ, ପିଜୁଳି, ଅଁଳା, ଅଶୋକ, ଚମ୍ପା ଆଦି ଫଳ, ଫୁଲ ଓ ଔଷଧୀୟ ଚାରା ରୋପଣ କରାଯିବା ସହ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଓ ବ୍ୟାନର ଧରି ସଚେତନତା ଶୋଭାଯାତ୍ରାରେ ସାମିଲ ହୋଇ ଜନସାଧାରଣଙ୍କୁ ବୃକ୍ଷରୋପଣ ପାଇଁ ପ୍ରେରିତ କରିଥିଲେ। ସମାପନୀ ସଭାରେ ବିଶିଷ୍ଟ ଅତିଥି ଓ ବକ୍ତାମାନେ ବୃକ୍ଷରୋପଣର ଆବଶ୍ୟକତା, ଜଳବାୟୁ ପରିବର୍ତ୍ତନର ଚ୍ୟାଲେଞ୍ଜ ଏବଂ ପରିବେଶ ସୁରକ୍ଷାରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ପରେ ବିଦ୍ୟାଳୟ ପରିସରରେ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ବ୍ୟାପକ ବୃକ୍ଷରୋପଣ କରାଯାଇଥିଲା। ଆଗାମୀ ତିନି ମାସ ଧରି ବର୍ଷା ଋତୁରେ ବିଭିନ୍ନ ସ୍ଥାନରେ ଏଭଳି ବ୍ୟାପକ ବୃକ୍ଷରୋପଣ ଅଭିଯାନ ଜାରି ରହିବ ବୋଲି ଆୟୋଜକ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Total Users : 1000779