ଭକ୍ତି, ଭାବ ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ। ‘ଜୟ ଜଗନ୍ନାଥ’ ଧ୍ୱନି, ଘଣ୍ଟ, କାହାଳୀ, ଶଙ୍ଖନାଦ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ। ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପବିତ୍ର ପହଣ୍ଡି ନୀତି। ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ଚକ୍ରରାଜ ପ୍ରଭୁ ସୁଦର୍ଶନଙ୍କୁ ଦଇତାପତି ସେବାୟତମାନେ ‘ଧାଡ଼ି ପହଣ୍ଡି’ରେ ସାତପାହାଚ ଦେଇ ଶ୍ରୀମନ୍ଦିରରୁ ବାହାରକୁ ଆଣି ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ବିଜେ କରାଇଛନ୍ତି।
ଏହାପରେ କ୍ରମାନୁସାରେ ବଡ଼ଠାକୁର ବଳଭଦ୍ର, ମାଆ ସୁଭଦ୍ରା ଏବଂ ଶେଷରେ ଟାହିଆ ହଲାଇ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଆସିବେ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ। ଏହି ଦିବ୍ୟ ପହଣ୍ଡି ଦର୍ଶନ ପାଇଁ ଦେଶ-ବିଦେଶରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରେ ଅପେକ୍ଷା କରୁଛନ୍ତି।
ପ୍ରତ୍ୟେକ ପଦକ୍ଷେପରେ ଭକ୍ତିର ଉଲ୍ଲାସ ଓ ଆଧ୍ୟାତ୍ମିକ ଭାବନାର ଅପୂର୍ବ ସଙ୍ଗମ ଦେଖିବାକୁ ମିଳୁଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ଦର୍ଶନ ପାଇଁ କୋଟି କୋଟି ଶ୍ରଦ୍ଧାଳୁଙ୍କ ମନ ଉତ୍କଣ୍ଠାରେ ଭରିଉଠିଛି। ପୁରୀର ବଡ଼ଦାଣ୍ଡ ଏବେ ଏକ ବିଶାଳ ଜନସମୁଦ୍ରରେ ପରିଣତ ହୋଇଥିବା ବେଳେ, ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଭକ୍ତମାନଙ୍କ ମନରେ ଭକ୍ତି, ବିଶ୍ୱାସ ଓ ସନାତନ ପରମ୍ପରା ପ୍ରତି ଆହୁରି ଗଭୀର ଆସ୍ଥା ସୃଷ୍ଟି କରୁଛି। ପହଣ୍ଡି ନୀତି ପରେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଜେ ଓ ବିଶ୍ୱପ୍ରସିଦ୍ଧ ରଥଟଣାକୁ ନେଇ ସମଗ୍ର ଶ୍ରୀକ୍ଷେତ୍ର ଭକ୍ତିମୟ ପରିବେଶରେ ମଗ୍ନ ହୋଇପଡ଼ିଛି। ଜୟ ଜଗନ୍ନାଥ।

Total Users : 1000779