ଅଷ୍ଟମ ବେତନ କମିଶନକୁ ନେଇ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି। କମିଶନ ଗଠନ ହେବାର ପ୍ରାୟ ଆଠ ମାସରୁ ଅଧିକ ସମୟ ବିତିଥିବା ବେଳେ ବର୍ତ୍ତମାନ ଏହାର ସୁପାରିଶ ପ୍ରସ୍ତୁତି ପାଇଁ ଅବଶିଷ୍ଟ ସମୟ ସୀମିତ ରହିଛି। ଏହି ପରିପ୍ରେକ୍ଷୀରେ କମିଶନ ବିଭିନ୍ନ ରାଜ୍ୟରେ କର୍ମଚାରୀ ସଂଘ, ପେନସନଭୋଗୀ ସଂଗଠନ ଓ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ଆଲୋଚନା ଜାରି ରଖିଛି। ସମ୍ପ୍ରତି ଭୁବନେଶ୍ୱର ଓ କୋଲକାତାରେ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆହୁରି ଅନେକ ପ୍ରସ୍ତାବ ଓ ମତାମତ ସଂଗ୍ରହ କରାଯାଉଛି। କମିଶନର ଚୂଡ଼ାନ୍ତ ସୁପାରିଶ କେବଳ ମୌଳିକ ଦରମା ବୃଦ୍ଧିରେ ସୀମିତ ରହିବ ନାହିଁ; ବରଂ ଭତ୍ତା, ପେନସନ, ଗ୍ରାଚ୍ୟୁଇଟି, କାର୍ଯ୍ୟଦକ୍ଷତା ଆଧାରିତ ପ୍ରୋତ୍ସାହନ, ସେବା ସର୍ତ୍ତାବଳୀ ଏବଂ ଅବସରକାଳୀନ ସୁବିଧାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିପାରେ।
ସୂଚନା ଅନୁଯାୟୀ, ବର୍ତ୍ତମାନ ଚାଲୁଥିବା ବିଭିନ୍ନ ଭତ୍ତାର ସମୀକ୍ଷା କରି ସେଗୁଡ଼ିକୁ ସରଳ, ସ୍ୱଚ୍ଛ ଏବଂ ଯୁକ୍ତିସଙ୍ଗତ କରିବାକୁ କମିଶନ ବିଚାର କରୁଛି। ସେହିପରି କାର୍ଯ୍ୟଦକ୍ଷତା ଆଧାରିତ ପ୍ରୋତ୍ସାହନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇପାରେ, ଯାହା ଫଳରେ ଭବିଷ୍ୟତରେ କର୍ମଚାରୀଙ୍କ ଦରମା ଓ ପ୍ରୋତ୍ସାହନ କାର୍ଯ୍ୟକୁଶଳତା ସହ ଅଧିକ ଜଡ଼ିତ ହୋଇପାରେ। ନ୍ୟାସନାଲ ପେନସନ ସିଷ୍ଟମ (NPS), ୟୁନିଫାଏଡ୍ ପେନସନ ସ୍କିମ୍ (UPS), ପେନସନ ଏବଂ ଗ୍ରାଚ୍ୟୁଇଟି ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଉଥିବାରୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପାଇଁ ମଧ୍ୟ କିଛି ନୂଆ ବ୍ୟବସ୍ଥା ଆସିପାରେ।
ଅନ୍ୟପଟେ, ସରକାରୀ କ୍ଷେତ୍ର ସହ ଘରୋଇ କ୍ଷେତ୍ରର ବେତନ ଢାଞ୍ଚା, ସୁବିଧା ଓ କାର୍ଯ୍ୟ ପରିସ୍ଥିତିକୁ ମଧ୍ୟ କମିଶନ ବିଚାରକୁ ନେଉଛି। ଏହା ମାଧ୍ୟମରେ ସରକାରୀ ଚାକିରିକୁ ଅଧିକ ପ୍ରତିସ୍ପର୍ଦ୍ଧୀ ଓ ଆକର୍ଷଣୀୟ କରିବା ସହ ଦକ୍ଷ ମାନବ ସମ୍ପଦକୁ ବଜାୟ ରଖିବା ଲକ୍ଷ୍ୟ ରହିଛି। ଆବଶ୍ୟକ ପଡ଼ିଲେ ଚୂଡ଼ାନ୍ତ ରିପୋର୍ଟ ପୂର୍ବରୁ ମଧ୍ୟ କମିଶନ ସରକାରଙ୍କୁ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିପାରିବ ବୋଲି ଗେଜେଟ୍ ବ୍ୟବସ୍ଥାରେ ଉଲ୍ଲେଖ ରହିଛି।
ଯଦିଓ ଫିଟମେଣ୍ଟ ଫ୍ୟାକ୍ଟର, ଦରମା ବୃଦ୍ଧି କିମ୍ବା ଭତ୍ତାର ହାରକୁ ନେଇ ସରକାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଘୋଷଣା କରାଯାଇନାହିଁ, ତଥାପି କମିଶନର କାର୍ଯ୍ୟପ୍ରକ୍ରିୟା ଦ୍ରୁତ ଗତିରେ ଆଗେଇ ଚାଲିଛି। ବିଶେଷଜ୍ଞଙ୍କ ମତରେ, ଅଷ୍ଟମ ବେତନ କମିଶନର ସୁପାରିଶ ଆଗାମୀ ଦଶନ୍ଧି ପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ଗଠନ, ଭତ୍ତା, ପେନସନ ଓ ସେବା ସର୍ତ୍ତାବଳୀକୁ ନୂଆ ଦିଗ ଦେଇପାରେ। ଏହାର ପ୍ରଭାବ କେବଳ କର୍ମଚାରୀଙ୍କ ଆର୍ଥିକ ସ୍ଥିତି ଉପରେ ନୁହେଁ, ବରଂ ଦେଶର ସାମଗ୍ରିକ ଅର୍ଥନୀତି ଓ ଉପଭୋକ୍ତା ବଜାର ଉପରେ ମଧ୍ୟ ପଡ଼ିବ ବୋଲି ଆକଳନ କରାଯାଉଛି। ବର୍ତ୍ତମାନ ସମସ୍ତଙ୍କ ନଜର କମିଶନର ଆଗାମୀ ପଦକ୍ଷେପ ଓ ଚୂଡ଼ାନ୍ତ ସୁପାରିଶ ଉପରେ ରହିଛି।

Total Users : 1000779