ଭୁବନେଶ୍ୱର:
ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ କ୍ରମେ ଶକ୍ତି ସଞ୍ଚୟ କରି ଗଭୀର ଅବପାତରେ ପରିଣତ ହୋଇଥିବାରୁ ସମଗ୍ର ଓଡ଼ିଶାରେ ପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଗାମୀ ୪୮ ଘଣ୍ଟା ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଗଭୀର ଅବପାତଟି ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷାର ପ୍ରଭାବ ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି।
ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୫ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ଜଳସ୍ତର ବଢ଼ିବା ସହ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଏବଂ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।
ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ କଡ଼ା ସତର୍କତା ଜାରି କରାଯାଇଛି। ସେପଟେ ପୁରୀରେ ରଥଯାତ୍ରା ଅବସରରେ ଭକ୍ତମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଥିବା ବେଳେ ସମସ୍ତ ଜିଲ୍ଲା ପ୍ରଶାସନ, ଓଡ୍ରାଫ୍, ଅଗ୍ନିଶମ ବିଭାଗ ଓ ବିପର୍ଯ୍ୟୟ ମୁକାବିଲା ଟିମ୍କୁ ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ଲୋକମାନଙ୍କୁ ଅନାବଶ୍ୟକ ଭାବେ ଘରୁ ବାହାରକୁ ନ ଯିବା, ନଦୀ ଓ ନାଳ ନିକଟକୁ ନ ଯିବା ଏବଂ ପାଣିପାଗ ବିଭାଗର ସତର୍କ ସୂଚନାକୁ ପାଳନ କରିବାକୁ ପ୍ରଶାସନ ଅନୁରୋଧ କରିଛି।
ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବା ସହ କେତେକ ସ୍ଥାନରେ ଆକସ୍ମିକ ବନ୍ୟା ଓ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

Total Users : 1000778