ଡେଙ୍ଗୁ ବିରୋଧରେ ବଡ଼ ପଦକ୍ଷେପ: QDENGA ଟିକାକୁ ଅନୁମତି

Table of Content

ପ୍ରତିବର୍ଷ ମୌସୁମୀ ବର୍ଷା ଆରମ୍ଭ ହେବା ସହିତ ଦେଶର ବିଭିନ୍ନ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହି ମଶାଜନିତ ରୋଗରେ ଆକ୍ରାନ୍ତ ହେଉଥିବାବେଳେ ଅନେକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼େ। କେତେକ କ୍ଷେତ୍ରରେ ଏହି ରୋଗ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାଏ। ଏଭଳି ପରିସ୍ଥିତିରେ ଭାରତ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପ୍ରଥମଥର ପାଇଁ ଦେଶରେ ଡେଙ୍ଗୁ ପ୍ରତିରୋଧ ପାଇଁ QDENGA (କ୍ୟୁଡେଙ୍ଗା) ନାମକ ଟିକାକୁ ଅନୁମତି ମିଳିଛି।

ଜାପାନର ପ୍ରମୁଖ ଔଷଧ ନିର୍ମାତା Takeda Pharmaceutical ଦ୍ୱାରା ପ୍ରସ୍ତୁତ ଏହି ଟିକାକୁ ଭାରତର ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ (DCGI) ଅନୁମୋଦନ କରିଛନ୍ତି। ଏହା ଭାରତରେ ଡେଙ୍ଗୁ ବିରୋଧରେ ଅନୁମତି ପାଇଥିବା ପ୍ରଥମ ଟିକା ହୋଇଥିବାରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ଦେଖାଯାଉଛି।

QDENGA ଟିକାର ବିଶେଷତା ହେଉଛି, ଏହା ନେବା ପୂର୍ବରୁ ଡେଙ୍ଗୁ ହୋଇଥିଲା କି ନାହିଁ, ସେଥିପାଇଁ କୌଣସି ପରୀକ୍ଷା କରିବା ଆବଶ୍ୟକ ନାହିଁ। ଅର୍ଥାତ୍ ପୂର୍ବରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା, ଡେଙ୍ଗୁରୁ ସୁସ୍ଥ ହୋଇଥିବା କିମ୍ବା କେବେ ଡେଙ୍ଗୁ ନହୋଇଥିବା ବ୍ୟକ୍ତିମାନେ ମଧ୍ୟ ଏହି ଟିକା ନେଇପାରିବେ। ଏହି ଟିକା ୪ ବର୍ଷରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଉପଯୁକ୍ତ। ଦୁଇଟି ଡୋଜ୍‌ରେ ଏହି ଟିକା ଦିଆଯିବ ଏବଂ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ମଧ୍ୟରେ ୩ ମାସର ବ୍ୟବଧାନ ରହିବ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଭାରତରେ ଡେଙ୍ଗୁ ମାମଲା ପ୍ରତିବର୍ଷ ବୃଦ୍ଧି ପାଉଥିବାରୁ ଏହି ଟିକା ସଂକ୍ରମଣ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ସହାୟକ ହୋଇପାରେ। ବିଶ୍ୱରେ ଚିହ୍ନଟ ହେଉଥିବା ମୋଟ ଡେଙ୍ଗୁ ମାମଲାର ପ୍ରାୟ ଏକ-ତୃତୀୟାଂଶ ଭାରତରୁ ଆସୁଥିବା ବେଳେ, ଗତ ଦୁଇ ଦଶକରେ ଦେଶରେ ଡେଙ୍ଗୁ ସଂକ୍ରମଣ ୧୧ ଗୁଣା ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୨୫ ମସିହାରେ ମାତ୍ର ୧.୧୩ ଲକ୍ଷରୁ ଅଧିକ ଡେଙ୍ଗୁ ମାମଲା ଦେଶରେ ରେକର୍ଡ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, QDENGA ଟିକାକୁ ବିଶ୍ୱର ୪୧ଟି ଦେଶ ଅନୁମତି ପ୍ରଦାନ କରିସାରିଛନ୍ତି। ୟୁରୋପିଆନ୍ ୟୁନିଅନ୍, ୟୁକେ ଓ ଅନେକ ଦକ୍ଷିଣ-ପୂର୍ବ ଏସିଆ ଦେଶରେ ଏହା ବ୍ୟବହୃତ ହେଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏହି ଟିକାକୁ ପ୍ରାକ୍-ଯୋଗ୍ୟତା (Prequalification) ପ୍ରଦାନ କରିଛି, ଯାହା ଏହାର ଗୁଣବତ୍ତା ଓ ସୁରକ୍ଷାକୁ ଆହୁରି ବିଶ୍ୱସନୀୟ କରିଛି।

ତେବେ ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ, ଟିକା ଆସିଥିଲେ ମଧ୍ୟ ମଶା ନିୟନ୍ତ୍ରଣ, ପରିଷ୍କାର-ପରିଚ୍ଛନ୍ନତା, ଜମା ପାଣି ନରଖିବା ଏବଂ ମଶା କାମୁଡ଼ାରୁ ସୁରକ୍ଷା ଭଳି ସତର୍କତା ଅବଲମ୍ବନ କରିବା ଏବେ ମଧ୍ୟ ସମାନ ଭାବେ ଜରୁରୀ। ଟିକା ସହ ସଚେତନତା ଓ ପ୍ରତିରୋଧମୂଳକ ପଦକ୍ଷେପ ହିଁ ଡେଙ୍ଗୁ ବିରୋଧରେ ସବୁଠାରୁ ବଡ଼ ଅସ୍ତ୍ର ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778