ଅନୁଗୋଳ ଜିଲ୍ଲା କଣିହାଁ ପବିତ୍ର ମୋହନ ସଭାଗୃହରେ ଆୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଅବସରରେ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ବର୍ଷ ଧରି ରାଜ୍ୟର ବିଭିନ୍ନ ବେସରକାରୀ ମହାବିଦ୍ୟାଳୟରେ ନିଷ୍ଠାର ସହ ପାଠପଢ଼ାଇ ଆସୁଥିବା ଅଧ୍ୟାପକ ଓ କର୍ମଚାରୀମାନେ ଏପର୍ଯ୍ୟନ୍ତ ଉଚିତ ପାରିଶ୍ରମିକ ଓ ସରକାରୀ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି। ସଂଘର କହିବା ଅନୁସାରେ, ବାରମ୍ବାର ଦାବିପତ୍ର, ଆନ୍ଦୋଳନ, ଧାରଣା ଓ ଆମରଣ ଅନଶନ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ମିଳିନାହିଁ।
ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଥିବାବେଳେ ବେସରକାରୀ ମହାବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ହଜାର ହଜାର ଅଧ୍ୟାପକ ଓ କର୍ମଚାରୀଙ୍କ ଆର୍ଥିକ ସୁରକ୍ଷା ଏବେବି ଅନିଶ୍ଚିତ ରହିଛି। ପରିଚାଳନା କମିଟିର ସୀମିତ ଆର୍ଥିକ ସହାୟତାରେ ଦୀର୍ଘ ୧୮ ବର୍ଷ ଧରି ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପାଇଁ ଦୁର୍ହର ହୋଇପଡ଼ିଛି। ରାଜ୍ୟର ପ୍ରାୟ ୭ ହଜାରରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ସଂଘ ଦାବି କରିଛି। ଅନେକ ମହାବିଦ୍ୟାଳୟ ଆର୍ଥିକ ସଙ୍କଟ କାରଣରୁ ନିୟମିତ ଦରମା ପ୍ରଦାନ କରିବାରେ ମଧ୍ୟ ଅସମର୍ଥ ହୋଇପଡ଼ିଛନ୍ତି।
ଏହି ପରିପ୍ରେକ୍ଷୀରେ ସଂଘ ରାଜ୍ୟ ସରକାରଙ୍କୁ ଶୀଘ୍ର ଏକ ନୂତନ ଅନୁଦାନ ନୀତି ପ୍ରଣୟନ କରି ବେସରକାରୀ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ବେତନ ବ୍ୟବସ୍ଥାରେ ସାମିଲ କରିବା ସହ ସେମାନଙ୍କୁ ଚାକିରି ସୁରକ୍ଷା, ସାମାଜିକ ସୁରକ୍ଷା ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ସୁବିଧା ପ୍ରଦାନ କରିବାକୁ ଦୃଢ଼ ଦାବି ଜଣାଇଛି। ସଂଘର ସଦସ୍ୟମାନେ ଆଶା ପ୍ରକାଶ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୀର୍ଘଦିନର ନ୍ୟାୟସଙ୍ଗତ ଦାବିକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବେ। ଏହି ଦାବିପତ୍ରକୁ ନେଇ ରାଜ୍ୟର ବେସରକାରୀ ଶିକ୍ଷା କ୍ଷେତ୍ରରେ ପୁଣିଥରେ ଆଲୋଚନା ଜୋର ଧରିଛି।

Total Users : 1000778