ଭଦ୍ରକ: ଭଦ୍ରକର ଗେଲପୁରସ୍ଥିତ ନ୍ୟୁ ସର୍କିଟ୍ ହାଉସ୍ରେ ବହୁଜନ ସମାଜ ପାର୍ଟି (BSP) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଦଳର ସାଙ୍ଗଠନିକ ସ୍ଥିତିକୁ ଆହୁରି ମଜବୁତ କରିବା, ସାମାଜିକ ନ୍ୟାୟର ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ବହୁଜନ ସମାଜ ପାର୍ଟିର ରାଜ୍ୟ ସମନ୍ୱୟକାରୀ ଆଡଭୋକେଟ୍ ଅର୍ଜୁନ ମଲ୍ଲିକ, ରାଜ୍ୟ ସାଧାରଣ ସମ୍ପାଦକ ଆଡଭୋକେଟ୍ ରଞ୍ଜନ କୁମାର ମଲ୍ଲିକ ଏବଂ ଜେଏନ୍ୟୁର ପ୍ରଫେସର ସନ୍ତୋଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଦଳର ଆଦର୍ଶ, ସଂଗଠନ ବିସ୍ତାର ଓ ସାମାଜିକ ସମାନତା ପ୍ରତି ପାର୍ଟିର ପ୍ରତିବଦ୍ଧତା ସମ୍ପର୍କରେ କର୍ମୀମାନଙ୍କୁ ଉଦ୍ବୋଧନ ଦେଇଥିଲେ।
ଏହି ଅବସରରେ ବହୁଜନ ସମାଜ ପାର୍ଟିର ଭଦ୍ରକ ଜିଲ୍ଲା କମିଟି ସର୍ବସମ୍ମତିକ୍ରମେ ଗଠନ କରାଯାଇଥିଲା। ନବଗଠିତ କମିଟିରେ ଉମାକାନ୍ତ ମଲ୍ଲିକଙ୍କୁ ଜିଲ୍ଲା ସଭାପତି, ଝରଣା ବେହେରାଙ୍କୁ ଉପସଭାପତି, ଏସ୍. କେ. ରିୟାଜୁଦ୍ଦିନଙ୍କୁ ସାଧାରଣ ସମ୍ପାଦକ ଏବଂ ବରିଷ୍ଠ ସାମ୍ବାଦିକ ଶରତ ନାଥଙ୍କୁ ଜିଲ୍ଲା ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା। ନବନିଯୁକ୍ତ କର୍ମକର୍ତ୍ତାମାନଙ୍କୁ ଦଳୀୟ ନେତୃତ୍ୱ ପକ୍ଷରୁ ଅଭିନନ୍ଦନ ଜଣାଯାଇବା ସହ ଜନସାଧାରଣଙ୍କ ମଧ୍ୟରେ ଦଳର ନୀତି ଓ ଆଦର୍ଶକୁ ପହଞ୍ଚାଇବା ପାଇଁ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।
ବୈଠକରେ ଭଦ୍ରକ ଲୋକସଭା କ୍ଷେତ୍ର ସମେତ ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି, ବାସୁଦେବପୁର, ସୋର ଓ ସିମୁଳିଆ ଅଞ୍ଚଳରୁ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତା ଓ ସକ୍ରିୟ ସଦସ୍ୟ ଯୋଗଦେଇଥିଲେ। ସମସ୍ତେ ସଂଗଠନକୁ ବୁଥ୍ ସ୍ତର ପର୍ଯ୍ୟନ୍ତ ସୁଦୃଢ଼ କରିବା, ଯୁବବର୍ଗଙ୍କୁ ଦଳ ସହ ଯୋଡ଼ିବା ଏବଂ ସାମାଜିକ ନ୍ୟାୟ, ସମାନ ଅଧିକାର ଓ ସର୍ବସମାବେଶୀ ବିକାଶ ପାଇଁ କାର୍ଯ୍ୟ କରିବାର ସଂକଳ୍ପ ନେଇଥିଲେ। ଆଗାମୀ ଦିନରେ ଭଦ୍ରକ ଜିଲ୍ଲାରେ ବହୁଜନ ସମାଜ ପାର୍ଟିର ସାଙ୍ଗଠନିକ ଭିତ୍ତିକୁ ଆହୁରି ମଜବୁତ କରିବା ସହ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ନେଇ ଦଳ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ନେତୃବୃନ୍ଦ ପ୍ରକାଶ କରିଥିଲେ।

Total Users : 1000778