ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ସିଂହଦ୍ୱାରରେ ପହଞ୍ଚିଲା ତିନି ରଥ

Table of Content

ପୁରୀ: ରାତି ପାହିଲେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା। ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଏହି ଦିବ୍ୟ ମହୋତ୍ସବର ସାକ୍ଷୀ ହେବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ସମବେତ ହୋଇଛନ୍ତି। ରଥଯାତ୍ରା ପୂର୍ବରୁ ଆଜି ପାରମ୍ପରିକ ରୀତିନୀତି ଅନୁଯାୟୀ ରଥଖଳାରେ ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ସମ୍ପନ୍ନ ହୋଇଛି। ଏହାପରେ ତିନି ରଥ ଦକ୍ଷିଣମୋଡ ନେଇ ରଥଖଳାରୁ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖସ୍ଥ ଚକଡ଼ାକୁ ଅଣାଯିବ। ଏହି ଦୃଶ୍ୟକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ଜମିବା ଆରମ୍ଭ ହୋଇଯାଇଛି। ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଏବଂ ଶେଷରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ନିକଟକୁ ଟଣାଯିବ। ତେବେ ରଥଯାତ୍ରା ଦିନ ପ୍ରଥମେ ତାଳଧ୍ୱଜ, ପରେ ଦେବଦଳନ ଏବଂ ଶେଷରେ ନନ୍ଦିଘୋଷ ରଥ ଟଣାଯିବାର ପରମ୍ପରା ରହିଛି।

ଏପଟେ ରଥଯାତ୍ରା ପାଇଁ ରଥ, ବଡ଼ଦାଣ୍ଡ ଓ ସମସ୍ତ ବ୍ୟବସ୍ଥା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ଛତିଶା ନିଯୋଗ, ନୀତି ସବ୍-କମିଟି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରାର ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ସକାଳ ୬ଟାରେ ମଙ୍ଗଳ ଆଳତି, ୯ଟାରେ ରଥ ପ୍ରତିଷ୍ଠା, ୯ଟା ୩୦ରେ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ଆରମ୍ଭ ହେବ। ପରେ ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜଙ୍କ ପବିତ୍ର ଛେରା ପହଁରା ନୀତି ଅନୁଷ୍ଠିତ ହେବ। ତା’ପରେ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା, ରଥରେ ଘୋଡ଼ା ଓ ସାରଥି ଲାଗିବା ନୀତି ସମ୍ପନ୍ନ ହେବ। ଶେଷରେ ଅପରାହ୍ଣ ୪ଟାରେ ବିଶ୍ୱବିଖ୍ୟାତ ରଥଟଣା ଆରମ୍ଭ ହେବ ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କ “ହରିବୋଲ” ଓ “ଜୟ ଜଗନ୍ନାଥ” ଧ୍ୱନିରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ।

ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗ ଏବଂ ବିଭିନ୍ନ ସେବା ସଂସ୍ଥା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଭକ୍ତଙ୍କ ସୁବିଧା ପାଇଁ ଟ୍ରାଫିକ୍ ପରିଚାଳନା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଜରୁରୀକାଳୀନ ସହାୟତା ବ୍ୟବସ୍ଥାକୁ ମଧ୍ୟ ସଜାଗ ରଖାଯାଇଛି। ଏବେ କେବଳ ଅପେକ୍ଷା ମହାପ୍ରଭୁଙ୍କ ଦିବ୍ୟ ପହଣ୍ଡି ଓ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଶୁଭାରମ୍ଭକୁ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778