ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

Table of Content

ରାଜ୍ୟକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ବ୍ୟାପକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ନିଶାଦ୍ରବ୍ୟର ବ୍ୟବହାର ହ୍ରାସ, ସଚେତନତା ବୃଦ୍ଧି, ଚିକିତ୍ସା, ପୁନର୍ବାସ ଏବଂ ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ପୁନଃ ସାମିଲ କରିବାକୁ ଲକ୍ଷ୍ୟ ରଖି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪ କୋଟି ୬୨ ଲକ୍ଷ ଟଙ୍କାର ସଂଶୋଧିତ ରାଜ୍ୟ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନ୍ୟାସନାଲ୍ ଆକ୍ସନ୍ ପ୍ଲାନ୍ ଫର୍ ଡ୍ରଗ୍ ଡିମାଣ୍ଡ ରିଡକ୍ସନ୍ (NAPDDR) ଅଧୀନରେ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଏହି କାର୍ଯ୍ୟଯୋଜନାରେ ସଚେତନତା ସୃଷ୍ଟି, ସମୁଦାୟ ଭିତ୍ତିକ ହସ୍ତକ୍ଷେପ, କ୍ଷମତା ବିକାଶ, ନିଶାମୁକ୍ତି ଚିକିତ୍ସା, ପୁନର୍ବାସ, ଗଣଯୋଗାଯୋଗ ଅଭିଯାନ ଏବଂ କାର୍ଯ୍ୟକ୍ରମର ନିରନ୍ତର ନିରୀକ୍ଷଣକୁ ପ୍ରାଥମିକତା ଦିଆଯାଇଛି। କେବଳ ସଚେତନତା ଓ ପ୍ରତିଷେଧମୂଳକ କାର୍ଯ୍ୟକ୍ରମ ପାଇଁ ୧ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ କରିବାର ପ୍ରସ୍ତାବ ରହିଛି।

ଯୋଜନା ଅନୁଯାୟୀ, ରାଜ୍ୟର ୧୫୦ଟି ସ୍କୁଲ ଓ କଲେଜରେ ନିଶାବିରୋଧୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହ ‘ଗୁଡ୍ ଚଏସ୍ କ୍ଲବ୍’ ବା ଆଣ୍ଟି-ଡ୍ରଗ୍ କ୍ଲବ୍ ଗଠନ କରାଯିବା ସହ ପ୍ରବନ୍ଧ, ବିତର୍କ, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ମାଧ୍ୟମରେ ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରାଯିବ। ୩୦ଟି ଜିଲ୍ଲାରେ ସଚେତନତା ରାଲି, ମାରାଥନ, ୱାକାଥନ ଓ ସାଇକେଲ ରାଲି ଆୟୋଜନ କରାଯିବା ସହ ବିଶ୍ୱବିଦ୍ୟାଳୟ ଓ ମେଡିକାଲ କଲେଜରେ ସ୍ୱତନ୍ତ୍ର ଯୁବ ସମ୍ପୃକ୍ତି କାର୍ଯ୍ୟକ୍ରମ ମଧ୍ୟ ଚାଲିବ।

ନିଶା ନିରାକରଣକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟର ସମସ୍ତ ୩୧୪ଟି ବ୍ଲକ୍‌ରେ ଆଣ୍ଟି-ଡ୍ରଗ୍ କମିଟି ବୈଠକ ଅନୁଷ୍ଠିତ ହେବ। ସେହିପରି ୩୦୦ଟି ଗ୍ରାମ ପଞ୍ଚାୟତରେ ସଚେତନତା ଅଭିଯାନ ଚାଲିବ। ପ୍ରତ୍ୟେକ ଜିଲ୍ଲାରେ ୫୦ ଜଣ ଲେଖାଏଁ ‘ନଶା ମୁକ୍ତ ମିତ୍ର’ ଚୟନ କରାଯାଇ ମୋଟ ୧,୫୦୦ ସ୍ୱେଚ୍ଛାସେବୀଙ୍କୁ ଏହି ଅଭିଯାନରେ ସାମିଲ କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ ୭୬.୪୦ ଲକ୍ଷ ଟଙ୍କା ବ୍ୟୟ ଧାର୍ଯ୍ୟ କରାଯାଇଛି।

ସରକାରଙ୍କ ଏହି ମାଷ୍ଟର ପ୍ଲାନର ମୂଳ ଲକ୍ଷ୍ୟ କେବଳ ନିଶାଦ୍ରବ୍ୟ ବ୍ୟବହାରକୁ ରୋକିବା ନୁହେଁ, ବରଂ ସଚେତନତା, ଶିକ୍ଷା, ସାମାଜିକ ସହଯୋଗ ଏବଂ ପୁନର୍ବାସ ମାଧ୍ୟମରେ ଏକ ସୁସ୍ଥ, ସଚେତନ ଓ ନିଶାମୁକ୍ତ ଓଡ଼ିଶା ଗଠନ କରିବା। ବିଶେଷକରି ଯୁବପିଢ଼ିଙ୍କୁ ନିଶାର କବଳରୁ ଦୂରେ ରଖିବା ଏବଂ ସମାଜରେ ସକାରାତ୍ମକ ପରିବେଶ ସୃଷ୍ଟି କରିବା ଦିଗରେ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778