ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଣସର ନୀତିର ଶେଷ ପର୍ଯ୍ୟାୟରେ ଭକ୍ତଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ସ୍ନାନ ପୂର୍ଣ୍ଣିମା ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ବିରାଜମାନ ଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି ଖଳିଲାଗି ଏକାଦଶୀର ପବିତ୍ର ତିଥିରେ ଦଶମୂଳ ମୋଦକ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବିଶ୍ୱାସ କରାଯାଉଛି। ଏହି ଅବସରରେ ଶ୍ରୀଅଙ୍ଗରେ ଚନ୍ଦନ, କର୍ପୂର, କେଶର ଓ କସ୍ତୁରୀ ଲେପନ କରାଯାଇଥିବା ବେଳେ ବାରଲାଗି ଖଣ୍ଡୁଆପାଟ ପରିଧାନ କରାଯାଇଛି। ଜ୍ୱର ସମୟରେ ବାରଣ ହୋଇଥିବା ତୁଳସୀ ମଧ୍ୟ ଆଜିଠାରୁ ପୁନର୍ବାର ଲାଗି କରାଯାଇଛି। ଘଣ୍ଟ, ଘଣ୍ଟା, କାହାଳୀ ଧ୍ୱନି ଓ ‘ମଣିମା’ ଡାକ ମଧ୍ୟରେ ମହାପ୍ରଭୁଙ୍କ ସୁସ୍ଥତାର ବାର୍ତ୍ତା ଶ୍ରୀମନ୍ଦିର ପରିସରରେ ପ୍ରତିଧ୍ୱନିତ ହୋଇଥିଲା।
ପରମ୍ପରା ଅନୁଯାୟୀ ଅଣସର ଦ୍ୱାଦଶୀରେ ଶ୍ରୀନହର ପକ୍ଷରୁ ଗଜପତି ମହାରାଜଙ୍କୁ ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତାର ସନ୍ଦେଶ ପ୍ରଦାନ କରାଯିବ। ଏହାପରେ ଆସନ୍ତା ମଙ୍ଗଳବାର ପବିତ୍ର ନବଯୌବନ ଦର୍ଶନ ରେ ଚତୁର୍ଦ୍ଧାମୂର୍ତ୍ତି ଦିବ୍ୟ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଦୀର୍ଘ ଅଣସର ନୀତି ପରେ ଏହି ଦୁର୍ଲଭ ଦର୍ଶନ ପାଇଁ ଦେଶ-ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ, ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରଥ ନିର୍ମାଣର ୮୨ତମ ଦିନରେ ତିନୋଟି ରଥରେ କଳସ ସ୍ଥାପନ କରାଯାଇଥିବା ବେଳେ ଭୋଇ ସେବକମାନେ ଅଷ୍ଟମ ‘ହରିବୋଲ’ ପ୍ରଦାନ କରିଛନ୍ତି। ଏହାସହ କଳସରେ ଓଲଟା ଶୁଆ ମଧ୍ୟ ସଂଯୋଜନ କରାଯାଇଛି। ରଥଗୁଡ଼ିକ ସିଂହଦ୍ୱାର ସମ୍ମୁଖକୁ ଆସିବା ପରେ ଶେଷ ‘ହରିବୋଲ’ ସହ ରଥ ନିର୍ମାଣ କାର୍ଯ୍ୟ ଔପଚାରିକ ଭାବେ ସମ୍ପୂର୍ଣ୍ଣ ହେବ। ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ମହାପ୍ରଭୁଙ୍କ ପ୍ରଭାବେଦୀ ଓ ଅନ୍ୟାନ୍ୟ ପ୍ରସ୍ତୁତି ମଧ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ନବଯୌବନ ଦର୍ଶନ ଏବଂ ଆସନ୍ନ ରଥଯାତ୍ରାକୁ ନେଇ ସମଗ୍ର ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ, ଭକ୍ତମାନେ ବିଶ୍ୱନିୟନ୍ତା କାଳିଆ ଠାକୁରଙ୍କ ଦିବ୍ୟ ଦର୍ଶନ ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

Total Users : 1000778