ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା ତ୍ରୁଟିକୁ ଓଡ଼ିଶା ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ SCERT ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚ ଏସ୍ପିଙ୍କ ନିକଟରେ ଏଫ୍ଆଇଆର୍ ଦାଖଲ କରିବାକୁ କହିଛନ୍ତି।
ଏହାଫଳରେ ପାଠ୍ୟପୁସ୍ତକ ପ୍ରସ୍ତୁତି, ସମ୍ପାଦନା, ଯାଞ୍ଚ ଓ ପ୍ରକାଶନର ସମ୍ପୂର୍ଣ୍ଣ ପ୍ରକ୍ରିୟାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ। ଏହାପୂର୍ବରୁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟ ଆଧାରରେ SCERTର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ତିନିଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ କରାଯାଇଥିବା ବେଳେ, ଆଉ ଛଅଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସେହିପରି କମିଟି ପକ୍ଷରୁ ଦିଆଯାଇଥିବା ୧୪ଟି ସୁପାରିଶ କାର୍ଯ୍ୟକାରୀ କରାଯିବ। ଏଥିରେ SCERTରେ ‘Errata Register’ ପ୍ରସ୍ତୁତି, ସମସ୍ତ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ତଥ୍ୟ ଯୋଗାଇବା, ‘Quality Assurance Cell’ ଗଠନ ଏବଂ ଭବିଷ୍ୟତରେ ଭାଷା, ତଥ୍ୟ, ଚିତ୍ର ଓ ମୁଦ୍ରଣ ସମ୍ପର୍କିତ ସମସ୍ତ ଅନୁମୋଦନ ସମ୍ପୂର୍ଣ୍ଣ ହେବା ପରେ ମାତ୍ର ପାଠ୍ୟପୁସ୍ତକକୁ ପ୍ରିଣ୍ଟିଂ ପ୍ରେସକୁ ପଠାଇବା ଭଳି ବ୍ୟବସ୍ଥା ସାମିଲ ରହିଛି।

Total Users : 1000778