ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବଜାରରେ ଦିନ ଦ୍ୱିପହରରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା।
ଏକ ମୋବାଇଲ ଦୋକାନରୁ ଜଣେ ଯୁବକଙ୍କୁ ଘୋଷାଡ଼ି ଆଣି ବିଚ ରାସ୍ତାରେ ୧୦ରୁ ଅଧିକ ଯୁବକ ସଙ୍ଘବଦ୍ଧ ଭାବେ ମାରାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ଯୁବକଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାର କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି।ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ମୁଖ୍ୟ ବଜାରରେ ଥିବା ଏକ ମୋବାଇଲ ଦୋକାନରୁ ବେଗୁନିଆପଡା ଅଞ୍ଚଳର କୃଷ୍ଣ ପ୍ରଧାନ ନାମକ ଜଣେ ଯୁବକଙ୍କୁ ଘୋଷାଡ଼ି ଆଣି ବିଚ ରାସ୍ତାରେ ସଙ୍ଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ୧୦ରୁ ଅଧିକ ଯୁବକ କୃଷ୍ଣଙ୍କୁ ଘେରି ମାଡ଼ ମାରିଥିଲେ।
ଏଥିରେ ତାଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି।ଖବର ପାଇ ବେଗୁନିଆପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା କୃଷ୍ଣଙ୍କୁ ଉଦ୍ଧାର କରି ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ଅନ୍ୟପକ୍ଷରେ, ଆକ୍ରମଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବେଗୁନିଆପଡା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ହିଁ ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି।

Total Users : 1000778