ଲଗାଣ ବର୍ଷା ଏବେ କେନ୍ଦ୍ରାପଡ଼ା ଜିଲ୍ଲାର ଚାଷୀଙ୍କ ପାଇଁ ବଡ଼ ସଙ୍କଟ ସୃଷ୍ଟି କରିଛି। ବର୍ଷକର ପରିଶ୍ରମରେ କରାଯାଇଥିବା ଚାଷ ଆଜି ଆଖି ଆଗରେ ପାଣିରେ ବୁଡ଼ି ନଷ୍ଟ ହେବାକୁ ବସିଛି। ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶହ ଶହ ଏକର ଧାନ ଓ ଅନ୍ୟାନ୍ୟ ଫସଲ ଜଳମଗ୍ନ ହୋଇପଡ଼ିଛି। ଏଥିଯୋଗୁଁ ଚାଷୀଙ୍କ ମଧ୍ୟରେ ଗଭୀର ଚିନ୍ତା ଦେଖାଦେଇଛି।
ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଏକ ପୋଲ ନିର୍ମାଣ କାମ ପାଇଁ କେନାଲର ଜଳ ନିଷ୍କାସନ ପଥକୁ ଅବରୋଧ କରାଯାଇଛି। ଫଳରେ ବର୍ଷା ଜଳ ସ୍ୱାଭାବିକ ଭାବେ ନିଷ୍କାସନ ହୋଇପାରୁନାହିଁ ଏବଂ ଚାଷ ଜମିରେ ପାଣି ଜମି ରହୁଛି। ଦୀର୍ଘଦିନ ଧରି ରହିଥିବା ଏହି ସମସ୍ୟା ଲଗାଣ ବର୍ଷା ପରେ ଆହୁରି ଉଗ୍ର ରୂପ ନେଇଛି।
ସୂଚନା ଅନୁସାରେ, ଏହି ସମସ୍ୟାରେ ଜିଲ୍ଲାର ପାଞ୍ଚଟି ପଞ୍ଚାୟତର ଚାଷୀ ପ୍ରଭାବିତ ହୋଇଛନ୍ତି। ଧାର କରଜ କରି ଚାଷ କରିଥିବା ଅନେକ ଚାଷୀ ଏବେ ନିଜ ଫସଲ ଏବଂ ଜୀବିକାର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଯଦି ଶୀଘ୍ର ପାଣି ନିଷ୍କାସନର ବ୍ୟବସ୍ଥା କରାନଯାଏ, ତେବେ ବ୍ୟାପକ ଫସଲହାନି ସହ ହଜାର ହଜାର ଚାଷୀ ଆର୍ଥିକ ସଙ୍କଟରେ ପଡ଼ିବାର ଆଶଙ୍କା ରହିଛି।
ଚାଷୀମାନେ ତୁରନ୍ତ କେନାଲରୁ ଅବରୋଧ ହଟାଇ ପାଣି ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବା ସହ କ୍ଷୟକ୍ଷତିର ଆକଳନ କରି ସରକାରୀ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ଅନ୍ୟଥା, ଏହି ସମସ୍ୟା ଆଗାମୀ ଦିନରେ କୃଷି ଉତ୍ପାଦନ ସହ ଚାଷୀଙ୍କ ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଇବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।

Total Users : 1000778