ପାରାଦୀପ ଅଠରବାଙ୍କୀ ଅଞ୍ଚଳରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇ ଅସହାୟ ଅବସ୍ଥାରେ ପଡ଼ିଥିବା ଚାରିଟି ପରିବାରଙ୍କ ସହାୟତା ପାଇଁ ମାନବିକତାର ପରିଚୟ ଦେଇଛନ୍ତି ପାରାଦୀପ ନଗର ମଣ୍ଡଳ ବିଜେପି ଏବଂ ଅଠରବାଙ୍କୀ ବଣିକ ସଂଘ। ବିପନ୍ନ ପରିବାରମାନଙ୍କ ଦୈନନ୍ଦିନ ଜୀବନକୁ ସାମାନ୍ୟ ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଚାଉଳ, ରାସନ ସାମଗ୍ରୀ ଏବଂ ରହିବା ପାଇଁ ପାଲ ବଣ୍ଟନ କରାଯାଇଛି। ଅଗ୍ନିକାଣ୍ଡରେ ଘର ଓ ଆବଶ୍ୟକୀୟ ସାମଗ୍ରୀ ହରାଇଥିବା ପରିବାରମାନଙ୍କ ପାଇଁ ଏହି ସହାୟତା ଏକ ବଡ଼ ଆଶ୍ୱାସନ ପାଲଟିଛି।
ଏହି ଅବସରରେ ବିଜେପି କର୍ମୀ ଓ ବଣିକ ସଂଘର ସଦସ୍ୟମାନେ ବିପନ୍ନ ପରିବାରଙ୍କ ସହ ସାକ୍ଷାତ କରି ସେମାନଙ୍କ ଦୁଃଖଦ ସ୍ଥିତିର ସମୀକ୍ଷା କରିଥିଲେ ଏବଂ ଆଗାମୀ ଦିନରେ ମଧ୍ୟ ଆବଶ୍ୟକ ପଡ଼ିଲେ ସମ୍ଭବ ସହଯୋଗ ଜାରି ରହିବ ବୋଲି ଆଶ୍ୱାସନ ଦେଇଥିଲେ। ସମାଜର ଦୁର୍ଦ୍ଦିନରେ ଅସହାୟ ଲୋକଙ୍କ ପାଖରେ ଛିଡ଼ା ହେବା ହିଁ ପ୍ରକୃତ ସମାଜସେବା ବୋଲି ଉପସ୍ଥିତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ।
ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ଏହି ମାନବିକ ପଦକ୍ଷେପକୁ ପ୍ରଶଂସା କରିବା ସହ ବିପଦ ସମୟରେ ସ୍ୱେଚ୍ଛାସେବୀ ସଂଗଠନ ଓ ସାମାଜିକ ଅନୁଷ୍ଠାନମାନଙ୍କ ଏଭଳି ସହଯୋଗ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି କହିଛନ୍ତି। ବିପର୍ଯ୍ୟୟ ପରେ ପୁନର୍ବାସ ଓ ଜୀବନକୁ ସ୍ୱାଭାବିକ କରିବାରେ ଏଭଳି ମାନବିକ ସହଯୋଗ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Total Users : 1000778