ଏସିଆନ୍ ଗେମ୍ସ–୨୦୨୬ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ ଘୋଷଣା କରାଯାଇଛି। ଜାପାନର ଆଇଚି-ନାଗୋୟାରେ ଆସନ୍ତା ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଷ୍ଠିତ କ୍ରୀଡ଼ା ମହାକୁମ୍ଭ ପାଇଁ ଭାରତୀୟ ଚୟନ କମିଟି ୧୫ ଜଣିଆ ଦଳ ଘୋଷଣା କରିଛି। ଅଭିଜ୍ଞ ଅଲରାଉଣ୍ଡର ହରମନପ୍ରୀତ କୌର ଦଳର ଅଧିନାୟକ ଭାବେ ନେତୃତ୍ୱ ନେବେ, ଯେଉଁଠାରେ ଉପ-ଅଧିନାୟକ ଦାୟିତ୍ୱ ସ୍ମୃତି ମନ୍ଧାନାଙ୍କୁ ଦିଆଯାଇଛି।
ଏଥର ଦଳ ଚୟନରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ୱିକେଟକିପର-ବ୍ୟାଟର ୟସ୍ତିକା ଭାଟିଆଙ୍କ ବାଦ୍ ପଡ଼ିବା। ନିକଟରେ ଅନୁଷ୍ଠିତ ମହିଳା ଟି-୨୦ ବିଶ୍ୱକପ୍ରେ ତାଙ୍କ ପ୍ରଦର୍ଶନ ଆଶାନୁରୂପ ନ ଥିବାରୁ ଚୟନକର୍ତ୍ତାମାନେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ୟସ୍ତିକା ତିନୋଟି ମ୍ୟାଚରେ ମାତ୍ର ୪୧ ରନ୍ ସଂଗ୍ରହ କରିଥିଲେ, ଯାହା ତାଙ୍କ ଚୟନ ସମ୍ଭାବନାକୁ ପ୍ରଭାବିତ କରିଛି।
ଅନ୍ୟପକ୍ଷରେ, ଆହତ କାରଣରୁ କିଛିଦିନ ଧରି ଦଳରୁ ବାହାରେ ଥିବା ଅଲରାଉଣ୍ଡର ଶ୍ରେୟଙ୍କା ପାଟିଲଙ୍କୁ ଦଳରେ ସ୍ଥାନ ମିଳିଛି। ତେବେ ତାଙ୍କର ଅନ୍ତିମ ଚୟନ ଡାକ୍ତରୀ ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ। ସମ୍ପୂର୍ଣ୍ଣ ଫିଟ୍ ଘୋଷିତ ହେଲେ ସେ ଭାରତୀୟ ଦଳ ସହ ଏସିଆନ୍ ଗେମ୍ସରେ ଅଂଶଗ୍ରହଣ କରିବେ।
ଉଲ୍ଲେଖଯୋଗ୍ୟ ଯେ, ଗତ ଏସିଆନ୍ ଗେମ୍ସରେ ଚୀନ୍ର ହାଙ୍ଗଜୌରେ ଭାରତୀୟ ମହିଳା କ୍ରିକେଟ ଦଳ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲା। ଏଥର ମଧ୍ୟ ଡିଫେଣ୍ଡିଂ ଚାମ୍ପିଅନ୍ ଭାବେ ଦଳ ମଇଦାନକୁ ଓହ୍ଲାଇବ ଏବଂ ଲଗାତାର ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ପଦକ ବଜାୟ ରଖିବା ଲକ୍ଷ୍ୟରେ ଖେଳିବ। ଅଭିଜ୍ଞ ଓ ଯୁବ ଖେଳାଳିଙ୍କ ସମନ୍ୱୟରେ ଗଠିତ ଏହି ଦଳ ଉପରେ କ୍ରିକେଟପ୍ରେମୀଙ୍କ ଆଶା ରହିଛି, ଏବଂ ଟୁର୍ଣ୍ଣାମେଣ୍ଟରେ ଭାରତ ଆଉଥରେ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

Total Users : 1000778