ଇଷ୍ଟ କୋଷ୍ଟ ରେଳବାଇର (East Coast Railway) ଜେନେରାଲ ମ୍ୟାନେଜରଙ୍କ ଟିଟିଲାଗଡ଼ ରେଳ ଷ୍ଟେସନ ପରିଦର୍ଶନ ଅବସରରେ ଟିଟିଲାଗଡ଼ ମର୍ଚ୍ଚାଣ୍ଟସ୍ ଆସୋସିଏସନ୍ (ଉତ୍କଳ ବଣିକ ସଂଘ) ପକ୍ଷରୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଷ୍ଟେସନର ସାମଗ୍ରିକ ବିକାଶ, ଜନସୁରକ୍ଷା ଏବଂ ଯାତ୍ରୀ ସୁବିଧା ସମ୍ପର୍କିତ ୧୧ ଦଫା ଦାବିପତ୍ର ପ୍ରଦାନ କରିଛି।
ଦାବିପତ୍ରରେ ବିଶେଷ ଭାବେ LC No. RV-164 ଠାରେ ରେଳ ଫାଟକ ବନ୍ଦ ରହିବା ସମୟରେ ଆମ୍ବୁଲାନ୍ସ ଓ ଜରୁରୀକାଳୀନ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହୁଥିବାରୁ ଜନସାଧାରଣଙ୍କ ସୁରକ୍ଷା ବିପଦରେ ପଡ଼ୁଥିବା ଉଲ୍ଲେଖ କରାଯାଇଛି। ତେଣୁ ଏହି ସ୍ଥାନରେ ତୁରନ୍ତ ରେଳ ଓଭର ବ୍ରିଜ୍ (ROB) ନିର୍ମାଣ ପାଇଁ ଅନୁମୋଦନ ଦେବାକୁ ଦାବି କରାଯାଇଛି।
ଏହା ସହିତ RV-163 ଓ RV-157 ରେ ନିର୍ମିତ RUB/LHSର ଆପ୍ରୋଚ୍ ରୋଡ୍କୁ ଶୀଘ୍ର ରାଜ୍ୟ ସଡ଼କ ସହ ସଂଯୋଗ କରିବା, ରାଧାକୃଷ୍ଣ ମନ୍ଦିର ନିକଟରେ ଚାଲିଥିବା LHS କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଏବଂ ଅମୃତ ଭାରତ ଷ୍ଟେସନ ସ୍କିମ୍ (ABSS) ଅଧୀନରେ ସିରଭଟା ପାର୍ଶ୍ୱରେ ଦ୍ୱିତୀୟ ପ୍ରବେଶ ପଥର ସମ୍ପୂର୍ଣ୍ଣ ବିକାଶ କରି ପାର୍କିଂ, ବୁକିଂ ଅଫିସ୍, ପ୍ରତୀକ୍ଷାଳୟ, ଲିଫ୍ଟ ଓ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରାଯାଇଛି।
ଅନ୍ୟାନ୍ୟ ଦାବି ମଧ୍ୟରେ ୧୨ ମିଟର ବିଶିଷ୍ଟ ଫୁଟ୍ ଓଭର ବ୍ରିଜ୍ (FOB) ଉପରେ ଦିବ୍ୟାଙ୍ଗ ଓ ବୟସ୍କ ଯାତ୍ରୀଙ୍କ ପାଇଁ ରାମ୍ପ ନିର୍ମାଣ, ଷ୍ଟେସନ ପରିସରରେ ବ୍ୟାଟେରୀ ଚାଳିତ କାର୍ ସେବା, ଛାତଯୁକ୍ତ ପାର୍କିଂ, ଆଧୁନିକ ପୋର୍ଟିକୋ ଏବଂ ଅଟୋ-ଟ୍ୟାକ୍ସି ଚାଳକଙ୍କ ପାଇଁ ଶୌଚାଳୟ, ପାନୀୟ ଜଳ ଓ ବିଶ୍ରାମ କକ୍ଷ ସ୍ଥାପନ ରହିଛି।
ମର୍ଚ୍ଚାଣ୍ଟସ୍ ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ, ଏହି ସମସ୍ତ ସୁବିଧା ରେଳବାଇର ବୈଧ ଦାୟିତ୍ୱ ଅନ୍ତର୍ଗତ। ପୂର୍ବରୁ ଅନୁମୋଦିତ ଅନେକ ପ୍ରକଳ୍ପ ପ୍ରଶାସନିକ ବିଳମ୍ବ ଯୋଗୁଁ ଅଟକି ରହିଥିବାରୁ ଜନସୁରକ୍ଷା ଓ ଯାତ୍ରୀ ସୁବିଧା ପ୍ରଭାବିତ ହେଉଛି। ତେଣୁ ଜେନେରାଲ ମ୍ୟାନେଜର ଏହି ପରିଦର୍ଶନ ଅବସରରେ ତୁରନ୍ତ ନିର୍ଦ୍ଦେଶ ଜାରି କରି ସମସ୍ତ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସଂଗଠନ ଜୋରଦାର ଦାବି କରିଛି।

Total Users : 1000778