ଓଡ଼ିଶାରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ମୋଟ ୫ ଜଣଙ୍କ ଜୀବନ ଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ପାହାଡ଼ିଆ ରାସ୍ତାରେ ବାଇକ୍ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ, ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥରେ ଟ୍ରକ୍କୁ ପିକଅପ୍ ଭ୍ୟାନ୍ ଧକ୍କା ଦେବାରୁ ଡ୍ରାଇଭର ଓ ହେଲପରଙ୍କ ପ୍ରାଣହାନି ଘଟିଛି। ଏହି ଦୁଇ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ପାହାଡ଼ରୁ ୨୦୦ ଫୁଟ୍ ତଳକୁ ଖସିଲା ବାଇକ୍, ଘଟଣାସ୍ଥଳରେ ୩ ମୃତ
ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଗୋରଡ଼ାପାଣି ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ତିନି ଜଣ ଯୁବକ ଏକ ଟେଣ୍ଟ ହାଉସ୍ରେ ଶ୍ରମିକ ଭାବେ କାମ କରୁଥିଲେ। ସେମାନେ ଗୁରୁବାର ପାହାଡ଼ ଉପରେ ଥିବା ଏକ ଗାଁକୁ ବିବାହ ଉତ୍ସବ ପାଇଁ ଟେଣ୍ଟ ବାନ୍ଧିବାକୁ ଯାଇଥିଲେ।
କାମ ସାରି ବିଳମ୍ବିତ ରାତିରେ ଗୋଟିଏ ବାଇକ୍ରେ ଘରକୁ ଫେରୁଥିବା ବେଳେ ପାହାଡ଼ିଆ ବୁଲାଣି ରାସ୍ତାରେ ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ବାଇକ୍ଟି ପ୍ରାୟ ୨୦୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ତିନି ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ପରଦିନ ଶୁକ୍ରବାର ଅପରାହ୍ଣରେ ଗୋରୁ ଚରାଇବାକୁ ଯାଇଥିବା କିଛି ଗ୍ରାମବାସୀ ଖାଇ ତଳେ ବାଇକ୍ ଓ ମୃତଦେହ ଦେଖି ଅନ୍ୟମାନଙ୍କୁ ଖବର ଦେଇଥିଲେ। ପରେ ଗ୍ରାମବାସୀ ଓ ପୋଲିସଙ୍କ ସହଯୋଗରେ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି।
ମୃତକମାନେ ହେଲେ ସୁଦର୍ଶନ ଗ୍ରାମପଞ୍ଚାୟତର ସାନଜାରି ଗାଁର ମନୋଜ ମୁଣ୍ଡା, ମନୋଜ ମୁଣ୍ଡାରୀ ଓ ଦୁଧିଚୁଆଁ ଗାଁର ବୀର ସିଂ ମୁଣ୍ଡା। ଏହି ଘଟଣା ପରେ ସେମାନଙ୍କ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଗଞ୍ଜାମରେ ଟ୍ରକ୍କୁ ପଛରୁ ପିଟିଲା ପିକଅପ୍ ଭ୍ୟାନ୍, ୨ ଜଣଙ୍କ ମୃତ୍ୟୁ
ଅନ୍ୟପଟେ ଗଞ୍ଜାମ ଜିଲ୍ଲାର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଥିବା ଏକ ଟ୍ରକ୍କୁ ପଛପଟୁ ଏକ ପିକଅପ୍ ଭ୍ୟାନ୍ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ପିକଅପ୍ ଭ୍ୟାନ୍ର ସାମ୍ନା ଅଂଶ ସମ୍ପୂର୍ଣ୍ଣ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଥିଲା।
ଏହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗାଡ଼ି ଭିତରେ ଫସି ରହିଯାଇଥିଲେ। ଖବର ପାଇ ଛତ୍ରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ କଟର ସହାୟତାରେ ଗାଡ଼ିକୁ କାଟି ଉଭୟଙ୍କୁ ଉଦ୍ଧାର କରିଥିଲେ।
ଗୁରୁତର ଅବସ୍ଥାରେ ରକ୍ତାକ୍ତ ଦୁଇ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲ୍କୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିଚୟ ତୁରନ୍ତ ମିଳିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Total Users : 1000778