ମୌସୁମୀ ଆସିଲା, ବର୍ଷା ନାହିଁ; ୮ ଜିଲ୍ଲାରେ ଏଲନିନୋ ପ୍ରଭାବ ଆଶଙ୍କା

Table of Content

ରାଜ୍ୟରେ ମୌସୁମୀ ବାୟୁ ପହଞ୍ଚିଥିଲେ ମଧ୍ୟ ଆଶାନୁରୂପ ବର୍ଷା ନ ହେବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ସାଧାରଣତଃ ମୌସୁମୀର ଆଗମନ ସହ କୃଷି କାର୍ଯ୍ୟକଳାପ ଜୋର ଧରିଥାଏ, କିନ୍ତୁ ଚଳିତ ବର୍ଷ ବିଳମ୍ବିତ ମୌସୁମୀ ଏବଂ ବର୍ଷାର ଅଭାବ ଯୋଗୁଁ ଅନେକ ଅଞ୍ଚଳରେ ଚାଷ କାମ ପ୍ରଭାବିତ ହୋଇଛି। ବିଶେଷକରି କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ଜମି ପ୍ରସ୍ତୁତି ଓ ବିହନ ବୁଣା କାର୍ଯ୍ୟ ମନ୍ଥର ହୋଇପଡ଼ିଛି। ପର୍ଯ୍ୟାପ୍ତ ବର୍ଷା ନଥିବାରୁ ଚାଷ ଜମି ଶୁଖିଲା ପଡ଼ିଥିବା ବେଳେ ଚାଷୀମାନେ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଛନ୍ତି।

କୃଷି ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏଲନିନୋ ଭଳି ପାଣିପାଗୀୟ ପରିସ୍ଥିତି ଯୋଗୁଁ ରାଜ୍ୟର ୮ଟି ଜିଲ୍ଲାରେ ବର୍ଷା ପରିମାଣ କମ୍ ରହିପାରେ। ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼ ଓ ସୁନ୍ଦରଗଡ଼ ସହ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା ଏବଂ ନବରଙ୍ଗପୁର ଜିଲ୍ଲା ଏହାର ପ୍ରଭାବ ଅଧିକ ଅନୁଭବ କରିପାରନ୍ତି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି କୃଷି ବିଭାଗ ସ୍ୱଳ୍ପ ଅବଧିର ବିହନ ଯୋଗାଣ ଉପରେ ଗୁରୁତ୍ୱ ଦେଉଥିବା ବେଳେ, କୃଷି ବିଜ୍ଞାନୀମାନେ ଉଚ୍ଚ ଜମିରେ ଧାନ ପରିବର୍ତ୍ତେ ବିକଳ୍ପ ଫସଲ ଚାଷ କରିବାକୁ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ, ଭାରତୀୟ ପାଣିପାଗ ବିଭାଗ (IMD)ର ରିପୋର୍ଟ ମଧ୍ୟ ଚିନ୍ତା ବଢ଼ାଇଛି। ଗତ ୧୪୬ ବର୍ଷ ମଧ୍ୟରେ ଚଳିତ ବର୍ଷର ଜୁନ୍ ମାସ ସବୁଠାରୁ ଶୁଷ୍କ ମାସମାନଙ୍କ ମଧ୍ୟରେ ଗଣାଯିବାର ଆଶଙ୍କା ରହିଛି। ଜୁନ୍ ୪ରୁ ୨୨ ତାରିଖ ମଧ୍ୟରେ ଦେଶରେ ସାଧାରଣ ହାର ତୁଳନାରେ ପ୍ରାୟ ୪୬ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଥିବା ବେଳେ ଓଡ଼ିଶାରେ ଏହି ଅଭାବ ପ୍ରାୟ ୫୨ ପ୍ରତିଶତରେ ପହଞ୍ଚିଛି। ଏହା କେବଳ କୃଷି ନୁହେଁ, ଜଳ ସମ୍ପଦ ଓ ଗ୍ରାମୀଣ ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ତେବେ ପାଣିପାଗ ବିଶେଷଜ୍ଞଙ୍କ ଆଶା ଯେ ଆଗାମୀ ଦିନରେ ମୌସୁମୀ ସକ୍ରିୟ ହୋଇ ବର୍ଷାର ପରିମାଣ ବୃଦ୍ଧି ପାଇପାରେ। ହେଲେ ଜୁନ୍ ମାସର ବର୍ଷା ନିଅଣ୍ଟ କୃଷି କ୍ଷେତ୍ରକୁ ଯେଉଁ କ୍ଷତି ପହଞ୍ଚାଇଛି, ତାହାକୁ ପୂରଣ କରିବା ଚାଷୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଏଭଳି ସ୍ଥିତିରେ ଚାଷୀଙ୍କୁ ସଚେତନ କରିବା ସହ ପରିସ୍ଥିତି ଅନୁଯାୟୀ ବିକଳ୍ପ ଚାଷ ପ୍ରଣାଳୀ ଗ୍ରହଣ କରିବାକୁ କୃଷି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778