ତାମିଲନାଡୁର ଥୁଥୁକୁଡି ଜିଲ୍ଲାରେ ରବିବାର ସନ୍ଧ୍ୟାରେ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ (Tornado) ତାଣ୍ଡବ ସୃଷ୍ଟି କରିଛି। ହଠାତ୍ ଆକାଶରେ ଏକ ବିଶାଳ ଘୂର୍ଣ୍ଣିବଳୟ ଦେଖାଦେଇଥିଲା, ଯାହା କିଛି ମିନିଟ୍ ମଧ୍ୟରେ ପ୍ରଳୟଙ୍କାରୀ ରୂପ ଧାରଣ କରିଥିଲା। ପ୍ରବଳ ବେଗର ପବନ ସହ ମାଡ଼ି ଆସିଥିବା ଏହି ଘୂର୍ଣ୍ଣିଝଡ଼ ରାସ୍ତାରେ ଯାହା ପାଇଥିଲା ତାହାକୁ ଛାରଖାର କରିଦେଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପ୍ରଥମେ ଆକାଶରେ କଳା ମେଘ ଘନୀଭୂତ ହୋଇଥିଲା ଏବଂ ପରେ ଏକ ବିଶାଳ ଘୂର୍ଣ୍ଣିବଳୟର ରୂପ ନେଇ ଭୂମି ଆଡ଼କୁ ଅଗ୍ରସର ହୋଇଥିଲା। ଘୂର୍ଣ୍ଣିଝଡ଼ର ପ୍ରଚଣ୍ଡ ଶକ୍ତିରେ ପେଟ୍ରୋଲ ପମ୍ପର ଛାତ ଉଡ଼ିଯାଇଥିଲା, ଟୋଲ୍ ପ୍ଲାଜାର ଅନେକ ଅଂଶ ଭାଙ୍ଗିପଡ଼ିଥିଲା ଏବଂ ଅନେକ ଘର, ଦୋକାନ ଓ ଯାନବାହନ କ୍ଷତିଗ୍ରସ୍ତ ହୋଇଥିଲା। ବହୁ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁତ ସେବା ବ୍ୟାହତ ହୋଇଛି।
ସ୍ଥାନୀୟ ବାଇଗାକୁଲମ ଓ ପୁଦୁକୋଟ୍ଟାଇ ଅଞ୍ଚଳ ଏହି ଘୂର୍ଣ୍ଣିଝଡ଼ରେ ସର୍ବାଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ପବନର ବେଗ ପ୍ରାୟ ୧୭୦ରୁ ୨୦୦ କିଲୋମିଟର ପ୍ରତି ଘଣ୍ଟା ଥିବା ଆକଳନ କରାଯାଉଛି। ଏହି ପ୍ରବଳ ପବନ ଯୋଗୁଁ ଅନେକ ଘରର ଛାତ ଉଡ଼ିଯିବା ସହ ଗଛପଲା ଭାଙ୍ଗି ପଡ଼ିଥିଲା। ପ୍ରାରମ୍ଭିକ ସୂଚନା ଅନୁସାରେ ଅତି କମରେ ୬ ଜଣ ଆହତ ହୋଇଥିବା ବେଳେ କ୍ଷୟକ୍ଷତିର ପରିମାଣ କୋଟି କୋଟି ଟଙ୍କାରେ ପହଞ୍ଚିପାରେ।
ଘଟଣା ପରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଅନେକ ପରିବାର ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ପହଞ୍ଚି କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ପାଣିପାଗ ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ଆର୍ଦ୍ରତା, ତାପମାତ୍ରାର ହଠାତ୍ ପରିବର୍ତ୍ତନ ଏବଂ ବାୟୁମଣ୍ଡଳର ଅସ୍ଥିରତା ଯୋଗୁଁ ଏଭଳି ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥାଏ। ଯଦିଓ ଭାରତରେ ଏପରି ଘଟଣା ବିରଳ, ତଥାପି ନିକଟ ଅତୀତରେ କିଛି ରାଜ୍ୟରେ ଘୂର୍ଣ୍ଣିଝଡ଼ ଘଟଣା ଦେଖିବାକୁ ମିଳୁଛି।
ଏହି ଘଟଣା ପୁଣିଥରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଚେତନତା ଓ ଆଗୁଆ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତାକୁ ସାମ୍ନାକୁ ଆଣିଛି। ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସତର୍କ ରହିବା ଏବଂ ପାଣିପାଗ ବିଭାଗର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦେଇଛି।

Total Users : 1000778