ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକରେ ରବିଧାନ କିଣାକୁ ନେଇ ଦେଖାଦେଇଛି ଘୋର ଅବ୍ୟବସ୍ଥା। ସରକାରଙ୍କ ପକ୍ଷରୁ ଧାନ କିଣା ପାଇଁ ଟାର୍ଗେଟ୍ ଆସିଥିଲେ ମଧ୍ୟ ମଣ୍ଡିକୁ ଗାଡ଼ି ପଠାଇବାରେ ମିଲର୍ସମାନେ ଆଗ୍ରହ ଦେଖାଉନଥିବା ଅଭିଯୋଗ ହୋଇଛି। ଫଳରେ ମଣ୍ଡି ପରିସରରେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ପଡ଼ିରହିଛି ଏବଂ ଚାଷୀମାନେ ଗଭୀର ଚିନ୍ତାରେ ରହିଛନ୍ତି।
ସୂଚନା ଅନୁଯାୟୀ, ଦେଓଗାଁ ବ୍ଲକର ୧୩ଟି ମଣ୍ଡିରେ ୨,୦୭୧ ଜଣ ଏବଂ ଗୁଡ଼ଭେଳା ଅଞ୍ଚଳର ୮ଟି ପ୍ୟାକ୍ସରେ ୧,୭୬୦ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଛନ୍ତି। ତଥାପି ଏପର୍ଯ୍ୟନ୍ତ ଅଧାରୁ ଅଧିକ ଚାଷୀ ନିଜ ଅମଳ ଧାନ ବିକ୍ରି କରିପାରିନାହାନ୍ତି। ଦେଓଗାଁ ଅଞ୍ଚଳର ଗୌଡ଼ଗୋଠ କୃଷି ସମବାୟ ସମିତିରେ ୫୦୬ ଜଣ ଚାଷୀ ପ୍ରାୟ ୨୪ ହଜାର କ୍ୱିଣ୍ଟାଲ୍ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ। ଜୁନ୍ ୨୦ ସୁଦ୍ଧା ୧୩,୪୨୦ କ୍ୱିଣ୍ଟାଲ୍ ଧାନ କିଣା ପାଇଁ ଟାର୍ଗେଟ୍ ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୯,୬୭୦ କ୍ୱିଣ୍ଟାଲ୍ ଧାନ କିଣାଯାଇଛି। ଏହା ସହିତ ପ୍ରାୟ ୨,୫୦୦ ବସ୍ତା ଧାନ ଏବେ ମଧ୍ୟ ମଣ୍ଡିରେ ପଡ଼ିରହିଛି।
ଚାଷୀମାନଙ୍କ ଅଭିଯୋଗ ହେଉଛି, ଗୌଡ଼ଗୋଠ ପ୍ୟାକ୍ସରୁ ଧାନ ଉଠାଣ ଦାୟିତ୍ୱ ପାଇଥିବା ମିଲର୍ସ ସ୍ଥାନୀୟ ମଣ୍ଡିକୁ ଗୁରୁତ୍ୱ ନଦେଇ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାରୁ ଅଧିକ ପରିମାଣର ଧାନ ଉଠାଉଛନ୍ତି। ଏହାର ପ୍ରଭାବ ସିଧାସଳଖ ଭାବେ ବଲାଙ୍ଗୀରର ଚାଷୀଙ୍କ ଉପରେ ପଡ଼ୁଛି। ଧାନ ବିକ୍ରି ନହେବାରୁ ସେମାନେ ଖରିଫ୍ ଚାଷ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିପାରୁନାହାନ୍ତି।
ଅନ୍ୟପଟେ ଜୁନ୍ ୩୦ ତାରିଖରେ ଧାନ କିଣା ଅବଧି ଶେଷ ହେବାକୁ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଟୋକନ୍ ଲାପ୍ସ ହେବାର ଆଶଙ୍କା ବଢ଼ିଛି। ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ଖୋଲା ଆକାଶ ତଳେ ପଡ଼ିଥିବା ଧାନ ନଷ୍ଟ ହେବାର ଭୟ ମଧ୍ୟ ଘାରିଛି। କୃଷି ସମବାୟ ସମିତି କର୍ତ୍ତୃପକ୍ଷ ମଧ୍ୟ ସ୍ୱୀକାର କରିଛନ୍ତି ଯେ ମିଲର୍ସ ଠିକ୍ ସମୟରେ ଧାନ ଉଠାଉନଥିବାରୁ ଏହି ସମସ୍ୟା ଦେଖାଦେଇଛି।
ଚାଷୀମାନେ ଦାବି କରିଛନ୍ତି ଯେ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ମିଲର୍ସଙ୍କ ମନମାନୀ ଉପରେ ରୋକ୍ ଲଗାନ୍ତୁ ଏବଂ ଜୁନ୍ ୩୦ ସୁଦ୍ଧା ସମସ୍ତ ଧାନ ଉଠାଣ ସୁନିଶ୍ଚିତ କରନ୍ତୁ। ନଚେତ୍ ଚାଷୀମାନଙ୍କ ଆର୍ଥିକ କ୍ଷତି ସହ ଆଗାମୀ ଖରିଫ୍ ଚାଷ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି।

Total Users : 1000778