ଚାକିରି ଦେବା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ଦେବାର ପ୍ରଲୋଭନ ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାକୁ ନେଇ ପୀଡ଼ିତା ଖଣ୍ଡଗିରି ଥାନାରେ ଅଭିଯୋଗ ଦାଖଲ କରିବା ପରେ ପୁଲିସ ତତ୍ପରତାର ସହ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, ଯୁବତୀଙ୍କୁ କୋଳାଥିଆ ଅଞ୍ଚଳର ଏକ ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ସୁଯୋଗର ଫାଇଦା ଉଠାଇ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଯୁବତୀ ଅଭିଯୋଗ କରିଛନ୍ତି।
ପୀଡ଼ିତାଙ୍କ ଏତଲା ଆଧାରରେ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ, ପୁଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରୁଥିବା ସୂଚନା ମିଳିଛି।
