ଅସହାୟ ବୃଦ୍ଧାଙ୍କୁ ନିଜ ଗାଡ଼ିରେ ଘରେ ପହଞ୍ଚାଇଲେ ବିଡିଓ, ମାନବିକତାର ଉଦାହରଣକୁ ନେଇ ଚର୍ଚ୍ଚା
ନବରଙ୍ଗପୁର: ସରକାରୀ ଅଧିକାରୀଙ୍କ କାମ କେବଳ ପ୍ରଶାସନିକ ଦାୟିତ୍ୱରେ ସୀମିତ ନ ରହି ସାଧାରଣ ଲୋକଙ୍କ ଦୁଃଖ-ଦୁର୍ଦ୍ଦଶା ବୁଝିବା ଓ ସମୟୋପଯୋଗୀ ସହାୟତା ଯୋଗାଇବା ମଧ୍ୟ ହୋଇଥାଏ। ଏହାର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ। ତେନ୍ତୁଳିଖୁଣ୍ଟି ବ୍ଲକର ବିଡିଓ ମନୋଜ ପାଣିଗ୍ରାହୀଙ୍କ ଏକ ମାନବିକ ପଦକ୍ଷେପ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ, ଗୌଡ଼ଗୁଡା ଗାଁର ବୃଦ୍ଧା ସୁନାଦେଇ ବାଘ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତେନ୍ତୁଳିଖୁଣ୍ଟି ଆସିଥିଲେ। ପରୀକ୍ଷା ପରେ ସେ ପ୍ରାୟ ୩ କିଲୋମିଟର ଦୂର ନିଜ ଗାଁକୁ ପାଦେ ପାଦେ ଫେରୁଥିଲେ। ବୟସର ଭାର ଓ ଶାରୀରିକ ଅସୁସ୍ଥତା କାରଣରୁ ସେ ଧୀରେ ଧୀରେ ଚାଲୁଥିବା ବେଳେ ରାସ୍ତାରେ ବିଡିଓ ମନୋଜ ପାଣିଗ୍ରାହୀଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା।
ବୃଦ୍ଧାଙ୍କ ଅବସ୍ଥା ଦେଖି ସେ ତୁରନ୍ତ ନିଜ ଗାଡ଼ି ଅଟକାଇ ତାଙ୍କୁ ଗାଡ଼ିରେ ବସାଇ ଘରେ ସୁରକ୍ଷିତ ଭାବେ ପହଞ୍ଚାଇଥିଲେ। ଏହାସହ ବୃଦ୍ଧାଙ୍କ ସହ କଥା ହୋଇ ତାଙ୍କୁ ସରକାରୀ ଯୋଜନାର ସୁବିଧା ଠିକ୍ ଭାବରେ ମିଳୁଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ।
କେବଳ ସେତିକି ନୁହେଁ, ବୃଦ୍ଧାଙ୍କ ଚଳାଚଳରେ ଅସୁବିଧା ଥିବା ଜାଣିବା ପରେ ତାଙ୍କ ପାଇଁ ଏକ ହ୍ୱିଲ୍ଚେୟାର ଯୋଗାଇ ଦେବାକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ (BSSO)ଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବିଡିଓଙ୍କ ଏହି ମାନବିକତା ଓ ସମ୍ବେଦନଶୀଳତା ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟିବା ସହ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଭାଇରାଲ ହୋଇଛି। ସାଧାରଣ ଲୋକମାନେ ତାଙ୍କ ଏହି ପଦକ୍ଷେପକୁ ଜଣେ ଜନମୁଖୀ ଓ ଦାୟିତ୍ୱବାନ ଅଧିକାରୀଙ୍କ ପରିଚୟ ବୋଲି କହିଛନ୍ତି।
ଏଭଳି ମାନବିକ କାର୍ଯ୍ୟ କେବଳ ଜଣେ ବ୍ୟକ୍ତିଙ୍କୁ ସହାୟତା କରେ ନାହିଁ, ବରଂ ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ୱାସର ସେତୁକୁ ଆହୁରି ମଜବୁତ କରିଥାଏ।
