ନେହେରୁଙ୍କ ରେକର୍ଡ ଅତିକ୍ରମ କଲେ ପ୍ରଧାନମନ୍ତ୍ରୀ ମୋଦି, ବିଶ୍ୱ ନେତାଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅଁର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ରାଜନୀତିରେ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ସମୟ କାର୍ଯ୍ୟକାଳ ପୂରଣ କରି ସେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦୀର୍ଘଦିନର ରେକର୍ଡକୁ ଅତିକ୍ରମ କରିଛନ୍ତି। ଏହି ଉପଲବ୍ଧି ପରେ ଦେଶ-ବିଦେଶରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ବାର୍ତ୍ତା ମିଳୁଛି।
ଲଗାତାର ତୃତୀୟ ଥର ପାଇଁ ଦେଶର ନେତୃତ୍ୱ ନେଉଥିବା ମୋଦିଙ୍କ ପ୍ରତି ଜନସାଧାରଣଙ୍କ ଆସ୍ଥା ଏବଂ ତାଙ୍କ ନେତୃତ୍ୱରେ ଭାରତର ବୈଶ୍ୱିକ ପ୍ରଭାବ ବୃଦ୍ଧି ପାଇଥିବା ନେଇ ବିଭିନ୍ନ ଦେଶର ନେତାମାନେ ମତ ପ୍ରକାଶ କରିଛନ୍ତି। ବିଶେଷକରି ‘ଗ୍ଲୋବାଲ ସାଉଥ୍’ ଦେଶଗୁଡ଼ିକ ମଧ୍ୟରେ ଭାରତର ନେତୃତ୍ୱ ଏବଂ ମୋଦିଙ୍କ ନୀତିକୁ ସକାରାତ୍ମକ ଭାବେ ଦେଖାଯାଉଥିବା କୁହାଯାଉଛି।
ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପତ୍ର ଲେଖି ଅଭିନନ୍ଦନ ଜଣାଇଛନ୍ତି। ସେ ଏହାକୁ ଏକ ଐତିହାସିକ ସଫଳତା ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଜନତାଙ୍କ ଭରସା ଓ ସମର୍ଥନ ହିଁ ଏହି ଉପଲବ୍ଧିର ମୂଳ ଆଧାର। ତାଙ୍କ ନେତୃତ୍ୱରେ ଭାରତ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଥିବା ସେ କହିଛନ୍ତି।
ସେହିପରି ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ଏକ ଭିଡିଓ ସନ୍ଦେଶ ଜାରି କରି ମୋଦିଙ୍କୁ ବିଶ୍ୱର ଅନ୍ୟତମ ପ୍ରଭାବଶାଳୀ ନେତା ଏବଂ ରୋଲ୍ ମଡେଲ୍ ବୋଲି କହିଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ଦାରିଦ୍ର୍ୟ ହ୍ରାସ, ଡିଜିଟାଲ ପରିବର୍ତ୍ତନ ଓ ଅନ୍ତର୍ଭୁକ୍ତିମୂଳକ ବିକାଶ କ୍ଷେତ୍ରରେ ଚମତ୍କାର ସଫଳତା ହାସଲ କରିଛି।
ତ୍ରିନିଦାଦ ଓ ଟବାଗୋର ପ୍ରଧାନମନ୍ତ୍ରୀ କମଲା ପ୍ରସାଦ-ବିସେସର ମଧ୍ୟ ମୋଦିଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ତାଙ୍କ ନେତୃତ୍ୱରେ ଭାରତ ଏକ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ରାଷ୍ଟ୍ର ଭାବେ ବିଶ୍ୱ ମଞ୍ଚରେ ନିଜର ସ୍ଥାନ ସୁଦୃଢ଼ କରିଛି। ଲଗାତାର ତିନି ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ଏକ ବିରଳ ଉପଲବ୍ଧି ବୋଲି ସେ ଉଲ୍ଲେଖ କରିଛନ୍ତି।
ଅନ୍ୟପଟେ ଆମେରିକାର ସିନେଟର ଜନ୍ କାର୍ଣ୍ଣିନ୍ ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଏତେ ଦୀର୍ଘ ସମୟ ଧରି ଦେଶର ନେତୃତ୍ୱ କରିବା ପଛରେ ୧୪୦ କୋଟି ଭାରତୀୟଙ୍କ ଭରସା ଓ ସମର୍ଥନ ରହିଛି। ଭାରତ ଆଜି ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ଅଗ୍ରସର ହେଉଥିବା ପ୍ରମୁଖ ଅର୍ଥନୀତି ଭାବେ ଉଭା ହୋଇଥିବା ସେ କହିଛନ୍ତି।
ରାଜନୈତିକ ବିଶ୍ଳେଷକଙ୍କ ମତରେ, ଏହି ଉପଲବ୍ଧି କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ବିଶ୍ୱ ମଞ୍ଚରେ ଭାରତର ବଢ଼ୁଥିବା ପ୍ରଭାବ, କୂଟନୈତିକ ସଫଳତା ଏବଂ ନେତୃତ୍ୱ କ୍ଷମତାର ମଧ୍ୟ ପ୍ରତିଫଳନ।
