ଗଞ୍ଜାମ:
ଦିନକୁ ଦିନ ଭୟଙ୍କର ରୂପ ନେଉଛି ସମୁଦ୍ର କୂଳକ୍ଷୟ। ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ପୋଡମପେଟା ଗାଁରେ ସମୁଦ୍ରର ତାଣ୍ଡବ ଏବେ ଚରମ ସୀମାରେ ପହଞ୍ଚିଛି। ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ଘର ସମୁଦ୍ର ଗର୍ଭରେ ଲୀନ ହେଉଥିବା ବେଳେ, ଭୟଙ୍କର ଗତିରେ ଜନବସତି ଆଡ଼କୁ ମାଡ଼ି ଆସୁଛି ଲହଡ଼ି। ପରିସ୍ଥିତି ଏତେ ଗମ୍ଭୀର ହୋଇପଡ଼ିଛି ଯେ ପ୍ରଶାସନ ଶେଷରେ ସମଗ୍ର ଗାଁକୁ ସିଲ୍ କରିବାକୁ ବାଧ୍ୟ ହୋଇଛି।
ସୂଚନା ଅନୁଯାୟୀ, ପୋଡମପେଟା ଗାଁର ପ୍ରାୟ ୭୦ ପ୍ରତିଶତ ଅଂଶ ସମୁଦ୍ର କୂଳକ୍ଷୟରେ ପ୍ରଭାବିତ ହୋଇସାରିଛି। କେବଳ ଏହି ଗାଁ ନୁହେଁ, ଆଖପାଖର ୧୨ ଖଣ୍ଡ ଗାଁ ମଧ୍ୟ ସମାନ ବିପଦର ସମ୍ମୁଖୀନ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ସମୁଦ୍ର କୂଳ ଅତିକ୍ରମ କରି ଲହଡ଼ି ଜନବସତି ଅଞ୍ଚଳକୁ ପ୍ରବେଶ କରିବା ପରେ ପ୍ରଶାସନ ତତ୍ପରତା ଦେଖାଇଛି। ଗାଁକୁ ଯାଇଥିବା ପ୍ରମୁଖ ରାସ୍ତାରେ ଗଭୀର ଗାତ ଖୋଳି ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହା ସହ ପ୍ରବେଶ ନିଷେଧ ବ୍ୟାନର ଲଗାଇ ବିପଦପୂର୍ଣ୍ଣ ଅଞ୍ଚଳକୁ କାହାରି ନ ଯିବାକୁ କଡ଼ା ସତର୍କବାଣୀ ଜାରି କରାଯାଇଛି।
ଗତ କିଛି ଦିନ ମଧ୍ୟରେ ଗାଁର ୧୦ରୁ ଅଧିକ ଘର ସମୁଦ୍ର ଗର୍ଭରେ ମିଶିଯାଇଥିବା ବେଳେ, ଗତକାଲି ଅପରାହ୍ନରେ ଆଉ କିଛି ଘର ଭାଙ୍ଗିରୁଜି ସମୁଦ୍ରରେ ଲୀନ ହୋଇଯାଇଛି। ପ୍ରତିଦିନ ସମୁଦ୍ର ଆଗକୁ ବଢ଼ୁଥିବାରୁ ଅବଶିଷ୍ଟ ଘରଗୁଡ଼ିକ ମଧ୍ୟ ବିପଦରେ ରହିଛି। ନିଜ ଆଖି ଆଗରେ ବର୍ଷ ବର୍ଷର ପରିଶ୍ରମରେ ଗଢ଼ିଉଠିଥିବା ଘର ଭାସିଯାଉଥିବା ଦେଖି ଭୟ ଓ ଅନିଶ୍ଚିତତାରେ ଦିନ କାଟୁଛନ୍ତି ଗ୍ରାମବାସୀ।
ପରିସ୍ଥିତିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛି। ପ୍ରଭାବିତ ୬ ଖଣ୍ଡ ଗାଁର ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଭେଟି ନିଜ ଦୁଃଖ ଜଣାଇବା ସହ ସମୁଦ୍ର କୂଳରେ ତୁରନ୍ତ ପଥର ବନ୍ଧ ଓ କଂକ୍ରିଟ ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ତୁରନ୍ତ ସ୍ଥାୟୀ ପଦକ୍ଷେପ ନ ନିଆଗଲେ କେବଳ ପୋଡମପେଟା ନୁହେଁ, ବରଂ ଆଖପାଖର ୧୨ ଖଣ୍ଡ ଗାଁ ମଧ୍ୟ ଦିନେ ସମୁଦ୍ର ଗର୍ଭରେ ଲୀନ ହୋଇପାରେ।
ଅନ୍ୟପକ୍ଷରେ, ପାଳିବନ୍ଧ ପଞ୍ଚାୟତବାସୀ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତର ୯ଟି ଏବଂ ରାମଗଡ଼ ପଞ୍ଚାୟତର ୭ରୁ ଅଧିକ ଗାଁରେ ବେଗରେ ବଢ଼ୁଥିବା କୂଳକ୍ଷୟ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଚିଠିରେ ଜନବସତି, କୃଷିଜମି, ଜନଜୀବନ ଓ ପ୍ରସିଦ୍ଧ ବଟେଶ୍ୱର ପୀଠର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରାଯାଇଛି।
ପୂର୍ବରୁ ସରକାରଙ୍କ ବୈଷୟିକ କମିଟି ସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେଇଥିବା ବେଳେ, ସେହି ସୁପାରିଶକୁ ଆଧାର କରି ସମୁଦ୍ର କୂଳରେ ସ୍ଥାୟୀ ସୁରକ୍ଷା ପ୍ରକଳ୍ପ ପାଇଁ ତୁରନ୍ତ ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ଦେଇ କାର୍ଯ୍ୟ ଆରମ୍ଭ କରିବାକୁ ବିଧାୟକ ଦାବି କରିଛନ୍ତି।
ବର୍ଷକୁ ବର୍ଷ ଗଞ୍ଜାମ ଉପକୂଳରେ ବଢ଼ୁଥିବା କୂଳକ୍ଷୟ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ନ ହେଲେ ଆଗାମୀ ଦିନରେ ଆହୁରି ଅନେକ ଗାଁ, କୃଷିଜମି ଓ ଐତିହ୍ୟ ସ୍ଥଳ ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା ରହିଛି। ଏବେ ସମସ୍ତଙ୍କ ନଜର ସରକାର ଓ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।

Total Users : 1000797