ବୈତରଣୀ ନଦୀର ଜଳସ୍ତର ଲଗାତାର ବୃଦ୍ଧି ପାଇବା ସହ ନଦୀବନ୍ଧ ଭାଙ୍ଗିବା ପରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅଞ୍ଚଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଗ୍ରାମ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇପଡ଼ିଥିବା ବେଳେ ଲୋକଙ୍କ ଘରଦ୍ୱାର, ଚାଷଜମି ଓ ରାସ୍ତାଘାଟ ବନ୍ୟାଜଳରେ ବୁଡ଼ି ରହିଛି। ଗାଁକୁ ଯିବା ଆସିବାର ସମସ୍ତ ମୁଖ୍ୟ ସଡ଼କ ଉପରେ ୪ରୁ ୫ ଫୁଟ୍ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା, ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଆବଶ୍ୟକ ସହାୟତା ପହଞ୍ଚାଇବାରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି।
ବନ୍ୟା ଜଳରେ ନଳକୂପ ବୁଡ଼ି ଯାଇଥିବାରୁ ବିଶୁଦ୍ଧ ପାନୀୟ ଜଳର ଅଭାବ ଦେଖାଦେଇଛି। ଲୋକମାନେ ଖାଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ମଧ୍ୟ ଠିକ୍ ସମୟରେ ପହଞ୍ଚିପାରୁ ନାହିଁ। ଅନ୍ୟପଟେ, ଗୋ-ସମ୍ପଦ ଓ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟର ଅଭାବ ଦେଖାଦେଇଥିବାରୁ ପଶୁପାଳକମାନେ ଚିନ୍ତାରେ ପଡ଼ିଛନ୍ତି। ସୁରକ୍ଷିତ ସ୍ଥାନକୁ ପଶୁମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପର୍ଯ୍ୟାପ୍ତ ଡଙ୍ଗା ମିଳୁନଥିବାରୁ ପରିସ୍ଥିତି ଆହୁରି ସଙ୍କଟଜନକ ହୋଇଯାଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନେ ତୁରନ୍ତ ରିଲିଫ୍ ସାମଗ୍ରୀ, ବିଶୁଦ୍ଧ ପାନୀୟ ଜଳ, ମେଡିକାଲ୍ ଟିମ୍ ଏବଂ ODRAF ଓ NDRF ଭଳି ଉଦ୍ଧାରକାରୀ ଦଳ ମୁତୟନ କରିବାକୁ ପ୍ରଶାସନଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି। ଦିନକୁ ଦିନ ବନ୍ୟାର ସ୍ଥିତି ଗମ୍ଭୀର ହେଉଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ଓ ଅନିଶ୍ଚିତତା ବଢ଼ିଚାଲିଛି। ପ୍ରଶାସନ ପକ୍ଷରୁ ଯଦି ଶୀଘ୍ର ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ପରିସ୍ଥିତି ଆହୁରି ଗୁରୁତର ହୋଇପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ଆଦ୍ୟାଶା ଲାଇଭ୍ର ଗ୍ରାଉଣ୍ଡ ରିପୋର୍ଟରେ ବନ୍ୟା ବିପନ୍ନଙ୍କ ଦୁଃଖ, ଦୁର୍ଦ୍ଦଶା ଏବଂ ପ୍ରଶାସନିକ ସହାୟତା ପାଇଁ ସେମାନଙ୍କ ଆକୁଳ ନିବେଦନର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି।

Total Users : 1000800