ତାମିଲନାଡୁରେ ୩୧ ଜୁଲାଇରୁ କୁକୁଡ଼ା ମାଂସ ବିକ୍ରି ବନ୍ଦ ହେବାକୁ ନେଇ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା କୌଣସି ସରକାରୀ ନିଷେଧାଜ୍ଞା ନୁହେଁ, ବରଂ ତାମିଲନାଡୁ ଚିକେନ୍ ବ୍ୟବସାୟୀ ମହାସଂଘ ପକ୍ଷରୁ ଏହାର ସଦସ୍ୟ ବ୍ୟବସାୟୀଙ୍କୁ ରାଜ୍ୟବ୍ୟାପୀ କୁକୁଡ଼ା ମାଂସ ବିକ୍ରି ବନ୍ଦ ରଖିବାକୁ ଆହ୍ୱାନ କରାଯାଇଛି। ବ୍ୟବସାୟୀ ସଂଘର ଅଭିଯୋଗ ଅନୁଯାୟୀ, ଅନେକ ବ୍ରଏଲର କମ୍ପାନୀ ସରକାରଙ୍କ ଖାଦ୍ୟ ସୁରକ୍ଷା ଏବଂ ପଶୁ କଲ୍ୟାଣ ସମ୍ବନ୍ଧୀୟ ନିୟମକୁ ଠିକ୍ ଭାବେ ପାଳନ କରୁନାହାନ୍ତି। ବିଶେଷ କରି ବଧ ପୂର୍ବରୁ ୧୨ ଘଣ୍ଟା ଖାଦ୍ୟ ବନ୍ଦ ରଖିବା ନିୟମକୁ ଅଣଦେଖା କରାଯାଉଥିବାରୁ କୁକୁଡ଼ା ମାଂସରେ ସାଲମୋନେଲା, ଇ-କୋଲାଇ ଓ କ୍ୟାମ୍ପାଇଲୋବ୍ୟାକ୍ଟର ପରି କ୍ଷତିକାରକ ଜୀବାଣୁ ସଂକ୍ରମଣର ଆଶଙ୍କା ବଢ଼ୁଥିବା ଦାବି କରାଯାଇଛି।
ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, କୁକୁଡ଼ାକୁ ଟ୍ରକରେ ଲୋଡ୍ କରିବା ପର୍ଯ୍ୟନ୍ତ ଲଗାତାର ଖାଦ୍ୟ ଦିଆଯାଉଥିବାରୁ ଓଜନ ବଢ଼ୁଛି ଏବଂ ଏହାର ଆର୍ଥିକ ଭାର ଶେଷରେ ଗ୍ରାହକଙ୍କ ଉପରେ ପଡ଼ୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପରିସ୍ଥିତିରେ ସୁଧାର ନ ଆସିବାରୁ ପ୍ରତିବାଦ ସ୍ୱରୂପ ଏହି ବିକ୍ରି ବନ୍ଦ ନିଷ୍ପତ୍ତି ନିଆଯାଇଛି। ଏହି ବିବାଦ ଶୀଘ୍ର ସମାଧାନ ନ ହେଲେ କେବଳ ସାଧାରଣ ଗ୍ରାହକ ନୁହେଁ, ବରଂ ରେଷ୍ଟୁରାଣ୍ଟ, ହୋଟେଲ, ଢାବା, ଚିକେନ୍ ସେଣ୍ଟର ଓ ପୋଲ୍ଟ୍ରି ବ୍ୟବସାୟ ସହ ଜଡ଼ିତ ହଜାର ହଜାର ବ୍ୟବସାୟୀ ଓ କର୍ମଚାରୀ ମଧ୍ୟ ପ୍ରଭାବିତ ହେବେ। ଫଳରେ ଚିକେନ୍ ବଜାରରେ ଯୋଗାଣ ବାଧାପ୍ରାପ୍ତ ହେବା ସହ ଦର ବୃଦ୍ଧିର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇପାରେ।

Total Users : 1000801