ନୂଆରୂପ ପାଇବ କୁଆଖାଇ: ବିସ୍ତୃତ ତଟବର୍ତ୍ତୀ ଅଞ୍ଚଳର ହେବ ବିକାଶ, ୮୦ କୋଟି ଟଙ୍କାର ମାଷ୍ଟର୍‌ପ୍ଲାନ୍‌

Table of Content

ଭୁବନେଶ୍ୱର: ବହୁ ପ୍ରତୀକ୍ଷାର ଘଟିଛି ଅନ୍ତ। ନୂଆ ରୂପ ପାଇବାକୁ ଯାଉଛି ଐତିହାସିକ କୁଆଖାଇ ନଦୀ। ମହାନଦୀ ନଦୀତଟ ବିକାଶ ଯୋଜନାରେ କୁଆଖାଇକୁ ପର୍ଯ୍ୟଟନର ପ୍ରାଣକେନ୍ଦ୍ର କରିବାକୁ ନୀଳ ନକ୍ସା ଆଙ୍କିଛନ୍ତି ସରକାର। କୁଆଖାଇ ନଦୀର ଦୁଇପାର୍ଶ୍ବରେ ଥିବା ବିସ୍ତୃତ ତଟବର୍ତ୍ତୀ ଅଞ୍ଚଳ ସହ ଅନ୍ୟାନ୍ୟ ବିକାଶମୂଳକ କାମକୁ ହାତକୁ ନେଇଛନ୍ତି ରାଜ୍ୟ ସରକାର। ଯେଉଁମାନେ ବି ରାଜଧାନୀ ବୁଲି ଆସିବେ, କୁଆଖାଇ ନଦୀପଠା ନ ବୁଲିଲେ, ବୁଲା ଅଧୁରା ରହିଯିବ, ଏଭଳି ଢଙ୍ଗରେ ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏଥିପାଇଁ ୮୦ କୋଟି ଟଙ୍କାର ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ କୁଆଖାଇ ସହ କୁଶଭଦ୍ରା ନଦୀ ବିକାଶର ବ୍ୟୟ ଅନ୍ତର୍ଭୁକ୍ତ ରହିଛି। ଜଳସମ୍ପଦ ବିଭାଗ ଦ୍ୱାରା ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ ହେବ। ୧୦ ବର୍ଷ ତଳେ କୁଆଖାଇର ବିକାଶ କରିବେ ବୋଲି ତତ୍କାଳୀନ ସରକାର ଘୋଷଣା କରିଥିଲେ। କିନ୍ତୁ ଏହା କେବଳ କାଗଜପତ୍ରରେ ସୀମିତ ହୋଇ ରହିଯାଇଥିଲା।

ଗତକାଲି ବହୁ ଆକାଂକ୍ଷିତ ମହାନଦୀ ନଦୀତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁରି ଦେଇଛନ୍ତି। ଏହି ଯୋଜନା ୨୦୨୫-୨୬ରୁ ୨୦୨୭-୨୮ ମଧ୍ୟରେ କାର୍ଯ୍ୟକାରୀ ହେବ ଓ ତିନି ବର୍ଷରେ ୨୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି, ନଦୀକୂଳରେ ସହର ପାଇଁ ସାମାଜିକ ଓ ସାଂସ୍କୃତିକ ସୁବିଧା ଯୋଗାଇଦେବା। ଘରୋଇ ସହଭାଗିତା ମାଧ୍ୟମରେ ଜଳକ୍ରୀଡ଼ା, ମନୋରଞ୍ଜନ ପାର୍କ, ବିଜ୍ଞାନ ପାର୍କ, ହର୍ବାଲ ଉଦ୍ୟାନ ଆଦିର ବିକାଶ ପାଇଁ ମୌଳିକ ଭିତ୍ତିଭୂମି ନିର୍ମାଣ କରିବା। ନଦୀତଟ କ୍ଷୟ ନିୟନ୍ତ୍ରଣ, ନଦୀଜଳ ସଫା ରଖିବା, ଜଳ ସଂରକ୍ଷଣ ଦ୍ୱାରା ଜଳାଭାବ ସମୟରେ ନିକଟସ୍ଥ ଅଞ୍ଚଳକୁ ପାନୀୟଜଳ ଯୋଗାଣ ଓ ସମ୍ବଳର ସ୍ଥାୟୀ ବିକାଶ ସହିତ ପାରିପାର୍ଶ୍ୱିକ କ୍ଷେତ୍ରକୁ ପୁନର୍ଜୀବିତ କରିବା ଏହି ଯୋଜନାର ଲକ୍ଷ୍ୟ। ସରକାର ଏହି ଯୋଜନାରେ ସମ୍ବଲପୁରର ମାଣ୍ଡାଲିଆରୁ ଚୌନପୁର ପର୍ଯ୍ୟନ୍ତ ମହାନଦୀ କୂଳ ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିରେ ପାର୍କିଂ ସ୍ଥାନ, ଜଗିଂ ପାର୍କ, ସେଲ୍ଫି ପଏଣ୍ଟ, ପାର୍କ, ଖୋଲା ଜିମ୍, ଘାଟର ଉନ୍ନତି, ସ୍ନାନ ଘାଟ ନିର୍ମାଣ, ଆରତି ଘାଟ, ଥିମ୍ ପ୍ଲାଜା, ସପିଂ କମ୍ପ୍ଲେକ୍ସ, ଶୌଚାଳୟ ଆଦିର ବିକାଶ କରାଯିବ। ଏଥିପାଇଁ ୧୬୦ କୋଟି ଟଙ୍କା ବିନିଯୋଗ ହେବ। ଏଥିସହ ଭୁବନେଶ୍ୱର ପାଣ୍ଡରା ନିକଟ କୁଆଖାଇ ଓ କୁଶଭଦ୍ରା ନଦୀରେ ନଦୀତଟ ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସୁରକ୍ଷା କାର୍ଯ୍ୟ ସହ ନଦୀକୂଳ ଘାଟର ବିକାଶ କରିବାକୁ ଯୋଜନା କରିଛନ୍ତି। ରିଙ୍ଗ୍ ରୋଡ ସହ ଭ୍ୟୁ ପଏଣ୍ଟ, ଭାସମାନ ଜେଟି, ଲକ୍‌ଗେଟ୍, ସେତୁ, ପାର୍କିଂ, କାଫେଟେରିଆ, ଶୌଚାଳୟ, ନଦୀ ଭିତରେ ପାଦଚଲା ରାସ୍ତା ନିର୍ମାଣ କରାଯିବ।

ଐତିହାସିକ କୁଆଖାଇ, ମହାନଦୀର ଶାଖା ନଦୀ ହୋଇଥିବାବେଳେ ଏହାର ଭୁବନେଶ୍ବର ଓ ସହରତଳି ଅଞ୍ଚଳକୁ ପାନୀୟ ଜଳଯୋଗାଣ ସହ ଅନ୍ୟ କାର୍ଯ୍ୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କଟକ ନରାଜଠାରେ ମହାନଦୀରୁ ଏହାର ଶାଖା ନଦୀ କାଠଯୋଡ଼ି ଜନ୍ମ ନେଇଛି। ପରେ ଏଥିରୁ କୁଆଖାଇ ନଦୀ ଜନ୍ମ ନେଇଛି। ଅତୀତରେ ନୌବାଣିଜ୍ୟର ଏହା ପ୍ରମୁଖ ମାଧ୍ୟମ ଥିଲା। ଦୟା ଭଳି କୁଆଖାଇ ବି କଳିଙ୍ଗ ଯୁଦ୍ଧର ଅନ୍ୟତମ ମୂକସାକ୍ଷୀ। କିନ୍ତୁ କାଳକ୍ରମେ ଶିଳ୍ପସଂସ୍ଥାର ଶୋଷଣ ଓ ନିର୍ଯାତନା, ମନୁଷ୍ୟକୃତ ପ୍ରହାର ଫଳରେ କୁଆଖାଇ ନିଜର ପରିଚୟ ହରାଇବାକୁ ବସିଲାଣି। ନଦୀଶଯ୍ୟା ବି ପୋତି ହୋଇଗଲାଣି। ଆଉ ଆଗଭଳି ଜଳପ୍ରବାହ ଏଥିରେ ନାହିଁ। ଗତକାଲି ମୁଖ୍ୟମନ୍ତ୍ରୀ ମହାନଦୀ ନଦୀତଟ ବିକାଶ ଯୋଜନାରେ କୁଆଖାଇର ବିକାଶ ନେଇ ଘୋଷଣା କରିବା ପରେ ଏହା ନୂଆ ଜୀବନ ପାଇବାର ଆଶା ସଂଚାର ହୋଇଛି। ନଦୀଖନନ ସହ ଅନ୍ୟାନ୍ୟ କାର୍ଯ୍ୟ ପରେ ଏହା ପୁନର୍ଜୀବନ ପାଇବ ବୋଲି ମତପ୍ରକାଶ ପାଇଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts