ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ଗସ୍ତ ଅବସରରେ ବାରିପଦା ସହରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିବାବେଳେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ନିର୍ମିତ ଅତ୍ୟାଧୁନିକ ୬୫୦ ଶଯ୍ୟା ବିଶିଷ୍ଟ ନୂତନ ହସ୍ପିଟାଲର ଲୋକାର୍ପଣ କରିବେ।
ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ଆକାଶପଥରେ ବାରିପଦାରେ ପହଞ୍ଚିବେ। ପରେ ସ୍ଥାନୀୟ କଲେଜ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବା ସହ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ଏହାପରେ ମୁଖ୍ୟମନ୍ତ୍ରୀ ରଙ୍ଗାମାଟିଆସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରକୁ ଯାଇ ନବନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲର ଉଦଘାଟନ କରିବେ। ଏହି ନୂତନ ଭିତ୍ତିଭୂମି ଜିଲ୍ଲା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମେଡିକାଲ କଲେଜର ଡାକ୍ତରୀ ଛାତ୍ରଛାତ୍ରୀ ଏବଂ କର୍ମକର୍ତ୍ତାଙ୍କ ସହ ମଧ୍ୟ ଆଲୋଚନା କରିବେ। ଏହି ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ମୟୂରଭଞ୍ଜ ଜିଲ୍ଲାର ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

Total Users : 1000015